Odisha Link
Bridging the Missing Links in Odisha

ରାସ୍ତା ନିର୍ମାଣକୁ ଲାଲ ବାହିନୀର ବିରୋଧ, ଠିକାଦାର ଏବଂ କର୍ମଚାରୀଙ୍କୁ ମାରିଦେବାକୁ ଧମକ

ଲାଞ୍ଜିଗଡ: ଲାଞ୍ଜିଗଡରେ ମାଓବାଦୀଙ୍କ ଗତିବିଧି ଦିନକୁ ଦିନ ବୃଦ୍ଧି ପାଉଛି। ଲାଞ୍ଜିଗଡ ବ୍ଲକରେ ହେଉଥିବା ଅନେକ ଗୁଡିଏ ବିକାଶ ମୂଳକ କାର୍ଯ୍ୟକୁ ଲାଲ ବାହିନୀ ପକ୍ଷରୁ ବିରୋଧ କରାଯାଉଛି। ବ୍ଲକରେ ୩୦ରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହେଉଥିବା ବେଳେ ନିୟମଗିରି ଅଞ୍ଚଳରେ ହେଉଥିବା ରାସ୍ତାକାମକୁ ବିରୋଧ କରିଛି ଲାଲବାହିନୀ।
ମିଳିଥିବା ସୂଚନା ଅନୁସାରେ, ଆମ୍ବଗୁଡା ରାସ୍ତା ଠାରୁ ତ୍ରିଲୋଚନପୁରକୁ ଯାଉଥିବା ରାସ୍ତା ଓ ତ୍ରିଲୋଚନପୁର ଠାରୁ ଫୁଲଡୁମେରକୁ ଯାଉଥିବା ରାସ୍ତା କାମକୁ ବନ୍ଦ କରିବା ପାଇଁ ଗତ କିଛିଦିନ ତଳେ ମାଓବାଦୀମାନେ ଚେତାବନୀ ଦେଇଥିଲେ। ରାସ୍ତାକାମ ବନ୍ଦ ନହେବାରୁ ଆମ୍ବଗୁଡା ଗାଁ ଓ ତ୍ରିଲୋଚନପୁର ଠାରେ ଆଜି ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ପୂର୍ବ ମାଓ ପୋଷ୍ଟରରେ ରାସ୍ତାକାମକୁ ୫ଫୁଟ କରିବା ପାଇଁ କୁହାଯାଇଥିବା ବେଳେ ସେହି ରାସ୍ତାକୁ ୮ଫୁଟ କରାଯାଉଛି। ଏହାକୁ ଅବମାନନା କରିଥିବା ଠିକାଦାର ଏବଂ ସଂପୃକ୍ତ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଧମକ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରୁ ବାରମ୍ବାର ମାଓ ପୋଷ୍ଟର ଜବତ ହେବା ଫଳରେ ଅଞ୍ଚଳବାସୀଙ୍କ ମନରେ କୋକୁଆଭୟ ସୃଷ୍ଟି ହେଉଛି। ପ୍ରଶାସନ ମଧ୍ୟ ଜାଣିଶୁଣି ଚୁପ ରହୁଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି।

ଏହା ସହ ବର୍ତ୍ତମାନ ଯେଉଁ ରାସ୍ତା ନିର୍ମାଣ ହୋଇଛି ସେହି ରାସ୍ତାରେ ପିଚୁ ପକାଇବାକୁ ଲାଲବାହିନୀ ପକ୍ଷରୁ ମନା କରାଯାଇଛି। ଏଥିରେ କାର୍ଯ୍ୟରତ ସମସ୍ତ ଶ୍ରମିକକୁ କାମ କରିବା ପାଇଁ ବାରଣ କରାଯାଇଛି। ସେପଟେ ନିୟମଗିରି ଅଞ୍ଚଳକୁ ରାସ୍ତା ନିର୍ମାଣ ପାଇଁ ଅଧିବାସୀମାନେ ଦାବି କରି ଆସୁଥିବା ବେଳେ ଲାଲବାହିନୀ ଏହାକୁ ବିରୋଧ କରୁଛି। ଯଦି ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯିବ, ତେବେ ଏହି ଅଧପନ୍ତରିଆ ରାସ୍ତା ସଂପୂର୍ଣ୍ଣ ହୋଇପାରିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ କାଳିପଦ ମହାକୁଡ କହିଛନ୍ତି। ଏ ବାବଦରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ କହିଛନ୍ତି ଯେ, ମୋ ପାଖରେ କୌଣସି ସୂଚନା ନାହିଁ। ଏନେଇ ମୁଖ୍ୟ କାର୍ଯ୍ୟାଳକୁ ସଂପର୍କ କଲେ ଜଣାପଡିବ ବୋଲି ପ୍ରକାଶ କରିଥିଲେ।

Comments are closed.