Odisha Link
Bridging the Missing Links in Odisha

ଓକିଲ ଆନ୍ଦୋଳନକୁ ବିଜେପିର ସମର୍ଥନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ଓକିଲଙ୍କ ଆନେ୍ଦାଳନକୁ ବିଜେପି ପକ୍ଷରୁ ସମର୍ଥନ କରାଯାଇଛି। ବିଜେପି ଏହି ଆନ୍ଦୋଳନକୁ ସମର୍ଥନ କରୁଛି। ଆଗକୁ କରିବ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି। ସେହିପରି ବରଗଡ଼ ପରିସ୍ଥିତି ନେଇ ରାଜ୍ୟପାଳଙ୍କୁ ଭେଟିବା ଅବସରରେ ଶ୍ରୀ ପୂଜାରୀ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବରଗଡ଼ ସହରରେ ସିଟି ହସ୍ପିଟାଲ ନେଇ ରାଜ୍ୟପାଳଙ୍କ ଠାରେ ଦାବି କରିଛୁ। ବରଗଡ଼ରେ ତୁରନ୍ତ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ମଧ୍ୟ ରାଜ୍ୟପାଳଙ୍କୁ ଜଣାଇଛୁ।

ପ୍ରକାଶ ଯେ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶା ଓକିଲ ସଂଙ୍ଘ ପକ୍ଷରୁ ‘ଫାଇଟ୍‌ ଫର ଲୟର୍ସ ରାଇଟ୍ସ’ ବ୍ୟାନରରେ କରାଯାଇଥିବା ଏହି ବନ୍ଦ ପାଳନ ଯୋଗୁ ସମଗ୍ର ଅଞ୍ଚଳରେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ସକାଳୁ ଓକିଲମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକୋ କରି ଆନ୍ଦୋଳନ ଚଳାଇଛନ୍ତି। ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ଦୋକାନବଜାର ବନ୍ଦ କରାଯାଇଛି। ଅନେକ ସ୍ଥାନରେ ବନ୍ଦକୁ ସ୍ବତଃପ୍ରବୃତ୍ତ ସମର୍ଥନ ମିଳିଛି। ବିଶେଷକରି ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲାରେ ବନ୍ଦର ପ୍ରଭାବ ବେଶୀ ଦେଖିବାକୁ ମିଳିଛି। ସମ୍ବଲପୁରର କ୍ଷେତ୍ରରାଜପୁର ଷ୍ଟେଶନରେ ଆନ୍ଦୋଳନକାରୀମାନେ ଟ୍ରେନ ଅଟକାଇଥିବା ସୂଚନା ମିଳିଛି। ରେଳଧାରଣାରେ ବିକ୍ଷୋଭ ଯୋଗୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏବଂ ରାଉରକେଲା ଡିଏମୟୁ ଅଟକି ରହିଥିବା ଜଣାପଡ଼ିଛି।

Comments are closed.