ବିରାଟଙ୍କ ନୂଆ କୀର୍ତ୍ତିମାନ, ଗାଙ୍ଗୁଲିଙ୍କୁ ଟପିଲେ

ହାମିଲଟନ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। ହେଲେ ପ୍ରତିଟି ମ୍ୟାଚ୍ରେ ବିରାଟ ନୂଆ ନୂଆ ରେକର୍ଡ ନିଜ ନାଁରେ ଯୋଡ଼ିବାରେ ଲାଗିଛନ୍ତି। ବିରାଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମଧ୍ୟ ନିଜ ନାଁରେ ଆଉ ଏକ ରେକର୍ଡ ଯୋଡ଼ିଛନ୍ତି।
ଅଧିନାୟକ ଭାବେ ଦିନିକିଆରେ ସର୍ବାଧିକ ରନ ହାସଲ କରିବା ମାମଲାରେ ବିରାଟ ଆଜି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଟପି ଯାଇଛନ୍ତି। ଗାଙ୍ଗୁଲି ଅଧିନାୟକ ଭାବେ ଦିନିକିଆରେ ୫,୧୦୪ ରନ କରିଥିବା ବେଳେ ବିରାଟ ଆଜି ୫୧ ରନ୍ର ଇନିଂସ୍ ବଳରେ ୫୧୨୩ ରନ୍ କରି ନେଇଛନ୍ତି।
ବିରାଟ ୮୭ଟି ମ୍ୟାଚ୍ରେ ଏଭଳି ୫,୧୨୩ ରନ କରିଥିବା ବେଳେ ତାଙ୍କ ବ୍ୟାଟିଂ ହାର ୭୬.୪୬ ରହିଛି। ଅଧିନାୟକ ହିସାବରେ ବିରାଟ ୨୧ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବିଶ୍ୱରେ ବିରାଟ ଅଧିନାୟକ ହିସାବରେ ସର୍ବାଧିକ ରନ୍ ସଂଗ୍ରହ କରିବା ତାଲିକାର ୭ ନଂ ଏବଂ ଭାରତୀୟଙ୍କ ମଧ୍ୟରେ ୩ ନଂ ସ୍ଥାନରେ ରହିଛନ୍ତି।
ବିରାଟଙ୍କ ଉପରେ ମହେନ୍ଦ୍ର ସିଂହ ଧୋନି ଓ ମହମ୍ମଦ ଆଝାରୁଦ୍ଦିନ ରହିଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୮୪୯୭ ରନ୍ ସହ ଅଧିନାୟକ ହିସାବରେ ବିଶ୍ୱରେ ସର୍ବାଧିକ ରନ ସ୍କୋର କରି ୧ନଂ ସ୍ଥାନରେ ରହିଛନ୍ତି। ସେ ୨୩୦ଟି ମ୍ୟାଚ୍ରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇ ଏଭଳି ସ୍କୋର କରିଛନ୍ତି।