Odisha Link
Bridging the Missing Links in Odisha

‘ସାର୍କୁଲାର ଇକୋନମି’ ସଂପର୍କିତ ଶିଖର ସମ୍ମିଳନୀରେ ଯୋଗଦେଲେ ଅଶୋକ

ଭୁବନେଶ୍ୱର : ଅଷ୍ଟ୍ରେଲିଆର ଆଡେଲିଏଡ୍‌ଠାରେ ଆୟୋଜିତ ଏକ ଶିଖର ସମ୍ମିଳନୀରେ ‘ସାର୍କୁଲାର ଇକୋନମି’ ସଂପର୍କରେ ବିଚାର ଆଲୋଚନା ଅନୁଷ୍ଠିତ ହୋଇଛି । ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସମ୍ମିଳନୀରେ ଯୋଗଦେଇ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର କାର୍ଯ୍ୟକ୍ରମ ବାବଦରେ ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି ।

ବର୍ଜ୍ୟବସ୍ତୁ ପରିଚାଳନାରେ ପୋଷଣୀୟ ଅଗ୍ରଗତି ଲାଭ ଉଦ୍ଦେଶ୍ୟରେ ‘ସାର୍କୁଲାର ଇକୋନମି’ର ଗୁରୁତ୍ୱ ବାବଦରେ ଏହି ସମ୍ମିଳନୀରେ ଯୋଗଦେଇଥିବା ପ୍ରତିନିଧିବୃନ୍ଦ ଆଲୋଚନା କରିଥିଲେ । ବିଶେଷ କରି ପୁନଃ ବ୍ୟବହାର, ବିତରଣ, ମରାମତି ତଥା ଅନ୍ୟାନ୍ୟ ସଂଶୋଧନମୂଳକ ପଦକ୍ଷେପ ଏବଂ ପୁନଃ ପ୍ରକ୍ରିୟାକରଣ ପଦ୍ଧତିରେ ବର୍ଜ୍ୟବସ୍ତୁଗୁଡ଼ିକର ଅଧିକତର ଉପଯୋଗ କରାଯାଇ ପାରିବ ଏବଂ ସାମଗ୍ରିକ ବିକାଶରେ ବିଶେଷ କ୍ଷତିହେବ ନାହିଁ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି ।

ବିଶ୍ୱ ପରିବେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ‘ସାର୍କୁଲାର ଇକୋନମି’ର ବିବିଧ ପ୍ରବର୍ତ୍ତନ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଗ୍ରହଣ କରିବାକୁ ଏହି ଶିଖର ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଏକ ତାଲିମ ଓ ପରିଦର୍ଶନ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଣ୍ଡା ଯାଇ ରେଳଲାଇନ୍‌ମାନଙ୍କର ଲୁହା ଓ କାଠ ବଦଳରେ ଏଣିକି ବର୍ଜ୍ୟ ପ୍ଲାଷ୍ଟିକ୍‌ ଓ ବର୍ଜ୍ୟ କାଷ୍ଠ ଉପକରଣ ମିଶ୍ରଣରେ ଏକ ନୂତନ ପ୍ରକାରର ରେଳଧାରଣା ବ୍ୟବହାର କରାଯାଇଥିବା ଅନୁଧ୍ୟାନ କରିଥିଲେ । ଏହା କାଠର ବିକଳ୍ପ ଭାବରେ ବ୍ୟବହାର କରାଯାଇ ପାରିବ ।

ସେହି ପରି କୃଷିକାର୍ଯ୍ୟରେ ମୃତ୍ତିକା ଅଭିବୃଦ୍ଧି ନିମନ୍ତେ କେତେକ ଉପାଦନ ପ୍ରୟୋଗ କରି ଉତ୍ପାଦନରେ ଗୁଣବତ୍ତା ଏବଂ ମୂଲ୍ୟ ବୃଦ୍ଧି ଅଣାଯାଇ ପାରିବ ବୋଲି ମନ୍ତ୍ରୀ ପଣ୍ଡା ପରିଦର୍ଶନ ସମୟରେ ଦେଖିଥିଲେ । ସେ ମଧ୍ୟ ପ୍ଲାଷ୍ଟିକ୍‌ ପୁନଃ ପ୍ରକ୍ରିୟାକରଣ ବାବଦରେ ପଚାରି ବୁଝିଥିଲେ ।

ମନ୍ତ୍ରୀ ପଣ୍ଡା ଦକ୍ଷିଣ ଅଷ୍ଟ୍ରେଲିଆର ପରିବେଶ ଓ ଜଳ ବିଭାଗ ମନ୍ତ୍ରୀ ଡେଭିଡ୍‌ ସ୍ପେୟାର୍ସଙ୍କୁ ସାକ୍ଷାତ କରିଥିଲେ । ଓଡ଼ିଶାରେ ଅକ୍ଷୟଶକ୍ତି ଉତ୍ପାଦନ କ୍ଷେତ୍ରରେ ବିଶେଷ କରି ଛାତ ଉ ପରେ ସୌରଚାଳିତ ଯନ୍ତ୍ରଗୁଡିକ ପାଇଁ ‘ସାର୍କୁଲାର ଇକୋନମି’ର ଆବଶ୍ୟକତା ରହିଥିବା କଥା ମନ୍ତ୍ରୀ ପଣ୍ଡା ଉଲ୍ଲେଖ କରିଥିଲେ ।

‘ଫନୀ’ ପରବର୍ତ୍ତୀ ଅବସ୍ଥାରେ ଏ ପରି କାରିଗରୀ କୌଶଳ ଉପଯୋଗ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଅଷ୍ଟ୍ରେଲିଆର ମନ୍ତ୍ରୀ ସ୍ପେୟାର୍ସଙ୍କୁ ସେ ଉପହାର ପ୍ରଦାନ କରିଥିଲେ ।

Comments are closed.