ଆଜି ହିନ୍ଦୁସ୍ତାନ ଜିତିଛି : ସଞ୍ଜୟ ସିଂହ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ଜନସମର୍ଥନ ପାଇ ଆଗୁଆ ଥିବା ବେଳେ ବିଜେପି ଲୋକ ସମର୍ଥନ ହାସଲ କରିବାରେ ବିଫଳ ହୋଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ବେଳେ କେଜ୍ରିୱାଲଙ୍କୁ ଆତଙ୍କବାଦୀ ଓ ନିର୍ବାଚନକୁ ଭାରତ-ପାକିସ୍ତାନ ମ୍ୟାଚ ସହ ତୁଳନା କରିଥିବା ବିଜେପିକୁ ଆପ୍ର ଫଳାଫଳ ପାକିସ୍ତାନ ଓ ଆତଙ୍କବାଦୀ ବୟାନର ଜବାବ ଦେଇଛି।
ବରିଷ୍ଠ ଆପ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, “ଆଜି କିଏ ଜିତିଲା, ସେକଥା ସମସ୍ତେ ଦେଖିଲେ। ଶେଷରେ ହିନ୍ଦୁସ୍ତାନ ହିଁ ଜିତିଛି। ଦିଲ୍ଲୀ ପରିବାରର ୨ କୋଟି ସଦସ୍ୟ ସାରା ବିଶ୍ୱକୁ କହିଛନ୍ତି ଯେ ତାଙ୍କ ପୁଅ କେଜ୍ରିୱାଲ ଆତଙ୍କବାଦୀ ନୁହେଁ। ଅରବିନ୍ଦ କେଜ୍ରିୱାଲ ଜଣେ ସଚ୍ଚା ଦେଶଭକ୍ତ ବୋଲି ଦିଲ୍ଲୀବାସୀ ପ୍ରମାଣିତ କରିଛନ୍ତି। ପ୍ରଚଣ୍ଡ ଜନମତ ସହ ବିଜୟ ମିଳିଥିବାରୁ ମୁଁ ଦିଲ୍ଲୀବାସୀଙ୍କୁ ମୁଣ୍ଡ ନୁଆଁଇ ଧନ୍ୟବାଦ ଜଣାଉଛି।”