Odisha Link
Bridging the Missing Links in Odisha

ଅନୁପଙ୍କୁ କେବେ ପଣ୍ୟାଗାର ନିଗମରୁ ଏବଂ ବିଜେଡିରୁ ବହିଷ୍କାର କରିବେ ନବୀନ?: ବିଜେପି

ଭୁବନେଶ୍ୱର : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଖୋଦ୍ ଶାସକ ଦଳର ନେତା ମାନେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ ପୋଲିସ ଏକ ହତ୍ୟା ଘଟଣାରେ ଗିରଫ କରବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।

ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ କହୁଥିବାବେଳେ ଅନ୍ୟପଟେ ତାଙ୍କ ଦଳର ନେତାମାନେ ହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି । ଏହା କ’ଣ ନବୀନ ବାବୁଙ୍କ ସୁଶାସନ ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ବିଜେଡି ଦଳର ନେତାମାନେ ରାଜ୍ୟରେ ଦବଙ୍ଗ ଗିରି ଚଲାଇଛନ୍ତି । ପୂର୍ବରୁ ଅନେକ ବିଜେଡି ନେତା ଏବଂ ବିଧାୟକ କାର୍ଯ୍ୟରତ ସରକାରୀ ଅଫିସରମାନଙ୍କ ସହ ଦୁର୍ବ୍ୟବହାର କରିବା ସହ ମାଡ ମାରିଛନ୍ତି । ସେହିପରି ବିଭିନ୍ନ ଦୁଷ୍କର୍ମ ମାମଲାରେ ଶାସକ ଦଳ ନେତାମାନଙ୍କର ସଂପୃକ୍ତି ଥିବାର ପ୍ରମାଣ ମିଳିଛି ।

ରାଜ୍ୟରେ ବିଜେଡି ନେତା, ଅପରାଧୀ ଏବଂ ପୋଲିସଙ୍କ ମଧ୍ୟରେ ସନ୍ଧି ହୋଇଛି । ଓଡିଶା ପୋଲିସ ବିଜେଡି ନେତାଙ୍କ ଇଙ୍ଗିତରେ କାର୍ଯ୍ୟ କରି ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଚାଲିଛି । ଅନ୍ୟପଟେ ଅପରାଧୀ ନେତାଙ୍କୁ ଶାସକ ବିଜେଡି ବିଭିନ୍ନ ବିଭାଗର ଅଧ୍ୟକ୍ଷ ପଦବୀ ଦେଇ ଅପରାଧିକ କାର୍ଯ୍ୟକଳାପକୁ ସମର୍ଥନ କରୁଛି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ହତ୍ୟା ଘଟଣାରେ ଅନୁପ ସାଏଙ୍କ ସଂପୃକ୍ତି ଥିବାର ପ୍ରମାଣ ମିଳିବା ପରେ ଛତିଶଗଡ ପୋଲିସ ତାଙ୍କୁ ଗିରଫ କରିଛି । ଏହି ଘଟଣାରେ ଶାସକ ଦଳ ନେତାଙ୍କ ନୀତି ଏବଂ ନିୟତ ସ୍ପଷ୍ଟ ହୋଇଛି । ମୁଖ୍ୟମବୀ କେବେ ଅନୁପ ସାଏଙ୍କୁ ପଣ୍ୟାଗାର ନିଗମରୁ ଏବଂ ବିଜେଡିରୁ ବହିଷ୍କାର କରିବେ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

Comments are closed.