Odisha Link
Bridging the Missing Links in Odisha

ଜାତୀୟସ୍ତରୀୟ ହସ୍ତତନ୍ତ ମେଳା

ଭୁବନେଶ୍ବର : ଆଜି ଜାତୀୟସ୍ତରୀୟ ହସ୍ତତନ୍ତ ମେଳା୨୦୨୦, ଭୁବନେଶ୍ୱର ରେ ଦୁଇଜଣ କୋଟପାଡ଼ ଶାଢୀ ବୟନ କାର୍ଯ୍ୟରେ ଉତ୍ସର୍ଗୀକୃତ ବୁଣାକାର ଛବି ସମରଥ ଓ ଶ୍ରୀମତୀ କୁନ୍ତି ମହନ୍ତଙ୍କୁ ବୟନିକା ତରଫରୁ ‘ବୟନ ସମ୍ମାନ’ ରେ ସମ୍ମାନୀତ କରାଗଲା । କୋଟପାଡ ଅଂଚଳରେ ମିର୍ଗାନ୍ ଶ୍ରେଣୀର ଆଦିବାସୀ ବୁଣାକାର ମାନେ ସାଧାରଣତଃ ଏହି ପ୍ରକାର ବସ୍ତ୍ର ତିଆରି କରିଥାନ୍ତି ।

କଟନ ଓ ଟସର ସୁତାରେ ଶାଢୀ, ସ୍କାର୍ଫ, ଦୁପଟା ଓ ଡ୍ରେସ୍‌ ମ୍ୟାଟେରିଆଲ୍‌, ଆଲ୍‌(ଆଚ୍ଛୁ) ବୃକ୍ଷର ଚେରର ବକଳାରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ବ୍ୟବହାର କରି ପ୍ରସ୍ତୁତ କରନ୍ତି । କୋଟପାଡ ବସ୍ତ୍ରର ବ୍ୟବହୃତ ସୁତାକୁ ଏହି ପ୍ରାକୃତିକ ରଙ୍ଗରେ ରଙ୍ଗାଯାଇ ବିଭିନ୍ନ କିସମର ବୁଟା ଓ ବୁଟିମାନ ଏକ୍ସଟ୍ରା ମୋଟା ବୁଣାସୁତା ଦେଇ ବସ୍ତ୍ରକୁ ବୁଣାଯାଇଥାଏ ।

ଏହି ପ୍ରାକୃତିକ ରଙ୍ଗ ପ୍ରଣାଳୀ ପାରମ୍ପରିକ ଅଟେ । ଆଲ୍ (ଆଚ୍ଛୁ) ଗଛର ଚେର ର ବକଳା ରୁ ପ୍ରସ୍ତୁତ ରଙ୍ଗକୁ ସୁତା ଉପରେ ଗୋବର ଓ ଜଡା ତେଲ ବୋଳାଯାଇ ଖାରପାଣିରେ ବୁଡାଇ ଖରାରେ ଶୁଖାଯାଇ ରଙ୍ଗ କରାଯାଇଥାଏ ଓ ଏହି ପ୍ରକ୍ରିୟା କୁ ବାରମ୍ବାର କରାଯାଇଥାଏ ।

ସୁତା ଉପରେ ସମ୍ପୂର୍ଣ୍ଣ ରଙ୍ଗ ଆଣିବାପାଇଁ ପ୍ରାୟ ୧୫ ଦିନ ସମୟ ଲାଗେ । ସୁତାରଙ୍ଗ ହେଲାପରେ ଏହାକୁ ବୁଣାଯାଇଥାଏ । କୋଟପାଡ ବସ୍ତ୍ରକୁ ଅଳଙ୍କୃତ ଓ ଆକର୍ଷିତ କରିବାପାଇଁ ଆଦିବାସୀ ବୁଣାକାରମାନେ ପାରମ୍ପରିକ ବୁଟା/ ବୁଟି ଯଥା- କଙ୍କଡା, ମାଛ, ଶଙ୍ଖ, ଡଙ୍ଗା, ଫଙ୍ଖା, ଧନୁ, ମନ୍ଦିର ସଦୃଶ ଡିଜାଇନ୍‌ ବସ୍ତ୍ରରେ ଏକ୍ସଟ୍ରା ବୁଣାସୂତା ଦେଇ ବୁଣିଥାନ୍ତି ।

ଆଜି ସଂଧ୍ୟାରେ ଏହି ମଂଚରେ କିଶୋର ସାହୁ ଏବଂ ସହଯୋଗୀ ମାନଙ୍କ ଦ୍ୱାରା ଏକ ‘ମ୍ୟୁଜିକାଲ୍ ନାଇଟ୍‌’ ପରିବେଷଣ ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କ ମନୋରଞ୍ଜନ ର ଖୋରାକ ଯୋଗାଇଥିଲା ।

ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଅଚିନ୍ତ କୁମାର ସାହା, ଭାରପ୍ରାପ୍ତ ଅଧିକାରୀ, ଜାତୀୟ ହସ୍ତତନ୍ତ ଉନ୍ନୟନ ନିଗମ , ଭୁବନେଶ୍ୱର । ସେ ବୟନିକା ଦ୍ୱାରା ଆୟୋଜିତ ଜାତୀୟ ହସ୍ତତନ୍ତ ମେଳାକୁ ବହୁ ପ୍ରଶଂସା କରିଥିଲେ ।

ତାପରେ ଏହି ମଂଚରେ କଲିକତାର କୃଷ୍ଣେନ୍ଦୁ ଏବଂ ସହୋଯୋଗୀ ଦ୍ୱାରା କଥକ ନୃତ୍ୟ ଓ ନୃତ୍ୟାଞ୍ଜଳି, ଭୁବନେଶ୍ୱରଙ୍କ ଦ୍ୱାରା ଓଡ଼ିଶି ଏବଂ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ଗତକାଲି, କଥକ, ଲୋକନୃତ୍ୟର ନୃତ୍ୟଶିଳ୍ପୀ ମାନେ ଅତି ଚତ୍ମକାର ପ୍ରଦର୍ଶନ କରିଥିଲେ, ଯାହା ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲା । ଆଗାମୀ କାଲି ଏହି ମଂଚରେ ସୀମା ବାବୁ ଏବଂ ସହଯୋଗୀ ଙ୍କ ଦ୍ୱାରା ଇନଷ୍ଟୃମେଂଟାଲ୍ ଏବଂ ଅର୍‌ପନ୍ ଗୃପ୍ ଙ୍କ ଦ୍ୱାରା ଏକ ‘ମ୍ୟୁଜିକାଲ୍ ନାଇଟ୍‌’ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଅଛି ।

Comments are closed.