Odisha Link
Bridging the Missing Links in Odisha

ପୁଲଓ୍ବାମା: ୬୧ ହଜାର କିମି ଯାତ୍ରା କଲେ, ୪୦ ସହିଦ ଯବାନଙ୍କ ଗାଁରୁ ଆଣିଲେ ମାଟି

ଶ୍ରୀନଗର: ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଲା। ୨୦୧୯ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଆଜି ସାରା ଦେଶ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଶହୀଦ ଯବାନଙ୍କ ସ୍ମୃତିରେ ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଲେଥପୁରା ‘ସିଆର୍‌ପିଏଫ୍‌’ କ୍ୟାମ୍ପ୍‌ରେ ସ୍ମାରକୀ ନିର୍ମାଣ କରାଯାଇଛି। ଉଦଘାଟିତ ହେବାକୁ ଥିବା ଏହି ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି। ଏହାସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି। ଏହି ସ୍ମାରକୀ ସ୍ଥଳରେ ଶହୀଦ ଯବାନଙ୍କ ଘରର ମାଟି ଥିବା ଏକ କଳସ ସ୍ଥାପନା କରାଯିବ। ୪୦ ସହିଦ ଯବାନଙ୍କ ଘରକୁ ଯାଇ ମାଟି ସଂଗ୍ରହ କରିଥିବା ଉମେଶ ଗୋପୀନାଥ ଯାଦବ ଉକ୍ତ କଳସକୁ ଶୁକ୍ରବାର ସ୍ମାରକସ୍ଥଳକୁ ପ୍ରଦାନ କରିଛନ୍ତି।

ପୁଲଓ୍ବାମା ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ୪୦ ଜଣ ଯବାନଙ୍କ ଘର ଘର ବୁଲି ମାଟି ସଂଗ୍ରହ କରିଥିଲେ ଉମେଶ। ଏଥିପାଇଁ ସେ ୬୧୦୦୦ କିଲୋମିଟର ଯାତ୍ରା କରିଛନ୍ତି। ଉମେଶ କହିଛନ୍ତି, ପୁଲୱାମା ସହିଦଙ୍କ ଘରକୁ ଯାଇ ମାଟି ସଂଗ୍ରହ କରିଥିବାରୁ ଗର୍ବ ଅନୁଭବ କରୁଛି। ମୁଁ ସମସ୍ତ ଯବାନଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଲି ଏବଂ ସେମାନଙ୍କ ଆଶୀର୍ବାଦ ମାଗିଲି। ମା-ବାପା ନିଜ ପୁଅକୁ ହରାଇଦେଲେ, ସ୍ତ୍ରୀ ନିଜ ସ୍ବାମୀକୁ ହରାଇଲା, ପିଲାମାନେ ତାଙ୍କ ବାପାଙ୍କୁ ହରାଇଲେ, ସାଙ୍ଗସାଥୀ ସେମାନଙ୍କ ବନ୍ଧୁକୁ ହରାଇଲେ। ମୁଁ ସେମାନଙ୍କ ଘରୁ ଏବଂ ଶ୍ମଶାନରୁ ମାଟି ସଂଗ୍ରହ କରିଛି। ଆଉ ଏହା ପୂଜନୀୟ ଅଟେ।

ଗତବର୍ଷ ୧୪ ଫେବୃୟାରୀରେ ସିଆରପିଏଫ ଯବାନଙ୍କ ଗାଡ଼ି ପୁଲୱାମା ଦେଇ ଯାଉଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଏଥିରେ ୪୦ ଯବାନ ସହିଦ ହୋଇଯାଇଥିଲେ। ଆଉ ଅନେକ ଯବାନ ଆହତ ହୋଇଥିଲେ। ପ୍ରାୟ ୨୫୦୦ ଯବାନ ଏକ ସମୟରେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା।

Comments are closed.