Odisha Link
Bridging the Missing Links in Odisha

ଜଳ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ଓ କେରଳ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଜଳ ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଆଣିବା ନିମନ୍ତେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ବୈଷୟିକ ସହଯୋଗ ପାଇଁ ଗତକାଲି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପର୍ଯ୍ୟଟନ କ୍ଷେତ୍ରରେ ଥିବା ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଉଥିବା ୫‘ଟି’ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ବୋଲି ପ୍ରକାଶ କରିଛନ୍ତି।

ଏହି ବୁଝାମଣା ଅନୁଯାୟୀ, ରାଜ୍ୟରେ ଜଳକ୍ରୀଡ଼ା ସହ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ କରାଯିବ। ଏଥିରେ ଏସିଆର ସର୍ବବୃହତ୍‌ ଲୁଣି ହ୍ରଦ ଚିଲିକା, ରାଜ୍ୟର ୪୮୨ କିମି ସୁଦୀର୍ଘ ଉପକୂଳ, ୮ଟି ବୃହତ୍‌ ଜଳଭଣ୍ଡାର ସହ ଅନେକ ସୌନ୍ଦର୍ଯ୍ୟ ବିମଣ୍ଡିତ ଜଳାଶୟଗୁଡ଼ିକରେ ଜଳକ୍ରୀଡ଼ା, ଆମୋଦପୂର୍ଣ୍ଣ କ୍ରୀଡ଼ା ସହ ହାଉସ୍‌-ବୋଟ ଭଳି ପର୍ଯ୍ୟଟନଧର୍ମୀ କାର୍ଯ୍ୟକ୍ରମ ପାଇଁ ସମ୍ଭାବନା ରହିଛି। ଏହି ବୁଝାମଣାପତ୍ର କେରଳ ସିପିଂ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ତରଫରୁ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ନାୟାର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସ୍ୱାକ୍ଷର କରିଥିଲେ।

ଶ୍ରୀ ନାୟାର ଏହି ଉଦ୍ୟମ ଜଳକ୍ରୀଡ଼ାକୁ ରାଜ୍ୟରେ ବିକାଶ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି କହିଥିଲେ। ବିଭାଗୀୟ ଶାସନ ସଚିବ ଶ୍ରୀ ବିଶାଲ ଦେବ କହିଛନ୍ତି ଯେ, ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଓ ଆକର୍ଷଣକୁ ବଳବତ୍ତର ରଖିବା ପାଇଁ ଅନେକ ନୂତନ ଏବଂ ସୃଜନଶୀଳ କାର୍ଯ୍ୟକ୍ରମଗକୁ ହାତକୁ ନେବାକୁ ହେବ। ଜଳକ୍ରୀଡ଼ା ବ୍ୟତୀତ ଚିଲିକା ଓ ଭିତରକନିକା ଓ ହୀରାକୁଦ ଜଳଭଣ୍ଡାର ହାଉସ୍‌ବୋଟ ପ୍ରଚଳନ କରିବା ପାଇଁ ସିଦ୍ଧାନ୍ତ ନେଇଛୁ। ଜଳକ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କେରଳ ରାଜ୍ୟ ଏ କ୍ଷେତ୍ରରେ ଏକ ଅଭିଜ୍ଞ ସହଯୋଗୀ ହୋଇପାରିବ। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସମୟରେ କେରଳ ସିପିଂ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମର ବୈଷୟିକ ଟିମ୍‌ର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏମାନେ ରାଜ୍ୟର ବିଭିନ୍ନ ସ୍ଥାନ ଅନୁଧ୍ୟାନ କରି ପ୍ରାଥମିକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ।

Comments are closed.