Odisha Link
Bridging the Missing Links in Odisha

କ୍ୟାପିଟାଲ ହସ୍ପିଟାଲ ପରିସରରେ ଉଦ୍‌ଘାଟିତ ହେଲା ଜରାରୋଗୀ ଓ୍ବାର୍ଡ

ଭୁବନେଶ୍ବର : ମୋ ସରକାର ଓ ୫‘ଟି’ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଉଥିବାବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା ମାନକ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ସମ୍ଭବ ହୋଇ ପାରିଛି । କ୍ୟାପିଟାଲ୍‌ ହସ୍ପିଟାଲ୍‌ର କାୟାକଳ୍ପରେ ବ୍ୟାପକ ସୁଧାର ଆସିଥିବାବେଳେ ଆଜି ହସ୍ପିଟାଲ୍‌ ପରିସରରେ ବୃଦ୍ଧବୃଦ୍ଧାମାନଙ୍କ କ୍ଷେତ୍ରରେ ବୟସାୟିକ କାରଣରୁ ଦେଖା ଦେଉଥିବା ରୋଗର ଚିକିତ୍ସା ପାଇଁ ଜରାରୋଗୀ ଓ୍ୱାର୍ଡ ବା ଜେରିଆଟି୍ରକ୍‌ ଓ୍ୱାର୍ଡ ଉଦ୍‌ଘାଟିତ ହୋଇଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ଧଳଙ୍କ ଉପସ୍ଥିତିରେ ଜରାରୋଗୀ ଓ୍ୱାର୍ଡର ଉଦ୍‌ଘାଟନ କରିଥିଲେ । ଏଠାରେ ସୂଚନାେଯୋଗ୍ୟ ଯେ, ଏହି ୧୦ ଶଯ୍ୟା ବିଶିଷ୍ଟ ଜରାରୋଗୀ ଓ୍ୱାର୍ଡରେ ଉତ୍ତମ ମାନର ଚିକିତ୍ସାସେବା ଯାଗାଇଦେବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି । ଏହା ଦ୍ୱାରା ବାର୍ଦ୍ଧକ୍ୟଗ୍ରସ୍ତ ବରିଷ୍ଠ ନାଗରିକମାନେ ଗୁଣାତ୍ମକ ଚିକିତ୍ସାସେବା ପାଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏହି ଅବସରରେ କ୍ୟା ପିଟାଲ୍‌ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉ ପସ୍ଥିତ ଥିଲେ ।

ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଦାସ ପଟିଆସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟସେବାର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବୁଲି ଦେଖିବା ଅବସରରେ ଡାକ୍ତରଙ୍କ ସହ ରୋଗୀମାନଙ୍କ ସେବା ସଂପର୍କରେ ଆଲୋଚନା କରିଥିଲେ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ଆସୁଥିବା ରୋଗୀମାନଙ୍କୁ କିପରି ଉପଯୁକ୍ତ ଚିକିତ୍ସା ସେବା ମିଳି ପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ। ପରେ ନହରକଣ୍ଟାଠାରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନବନିର୍ମିତ ବିଲ୍‌ଡିଂକୁ ଉଦ୍‌ଘାଟନ କରିଥିଲେ । ଏହିସବୁ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।