ମରିଗଲାଣି ମାନବିକତା, ମରିଗଲେ ଯୁବକ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାର ୧୬ ଜାତୀୟ ରାଜପଥ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ରାସ୍ତାରେ ପଡ଼ି ଜଣେ ଯୁବକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେଠାରେ ଭିଡ଼ ଜମାଇଥିବା ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବଦଳରେ ନିଜ ନିଜ ମୋବାଇଲ୍ ଫୋନ୍ରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ହୁଏତ ଆଉ କିଛି ସମୟ ପୂର୍ବରୁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ତାଙ୍କ ଜୀବନ ବଞ୍ଚି ଯାଇଥା’ନ୍ତା। ଏପରିକି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଯାଇଛି ଭଦ୍ରକ ଜିଲ୍ଲାରେ।
ମିଳିଥିବା ସୂଚନା ଅନୁସାରେ ଦୁଇ ଜଣ ଯୁବକ ବାଇକ୍ରେ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ସାହାପୁର ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ବାଇକ୍ ଚଲାଉ ଥିବା ଯୁବକ ଜଣଙ୍କ ଡାହାଣ ପାଖକୁ ଛିଟିକି ପଡ଼ିଥିବା ବେଳେ ପଛରେ ବସିଥିବା ଯୁବକ ଜଣଙ୍କ ଟ୍ରକ୍ ସମ୍ମୁଖରେ ପଡ଼ି ଯାଇଥିଲେ। ଏହା ପରେ ଟ୍ରକ୍ଟି ତାଙ୍କ ଅଣ୍ଟା ଉପରେ ଚଢ଼ିଯାଇଥିଲା।