Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ହେବ ବାୟୋଟେକ୍ନୋଲୋଜି ପାର୍କ ଓ ଇନ୍‌କ୍ୟୁବେସନ ସେଣ୍ଟର

ଭୁବନେଶ୍ୱର : ଭୁବନେଶ୍ୱରଠାରେ ଖୁବ୍‌ ଶୀଘ୍ର ଏକ ବାୟୋଟେକ୍‌ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ ଓ ଏଥିରେ ଭାରତ ବାୟୋଟେକ୍‌ ଉଦ୍ୟୋଗ ସହାୟତା କରିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନରେ ଏକ ଇନ୍‌କ୍ୟୁବେସନ ସେଣ୍ଟର ଆରମ୍ଭ ହେବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

ହାଇଦ୍ରାବାଦ୍‌ଠାରେ ଆୟୋଜିତ ତିନିଦିନିଆ ‘ବାୟୋଏସିଆ-୨୦୨୦’ ଶିଖର ସମାବେଶର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ପଣ୍ଡା ଓଡ଼ିଶାରେ ନୂତନ ବାୟୋଟେକ୍‌ନୋଲୋଜି ନୀତି ପ୍ରଣୟନ ହେବା ସହିତ ବାୟୋଟେକ୍‌ନୋଲୋଜିର ସଦୁପଯୋଗ କ୍ରମେ ଓଡ଼ିଶାର ବିକାଶ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେ ପଗୁଡ଼ିକ ବାବଦରେ ସୂଚନା ଦେଇଛନ୍ତି ।

ପଣ୍ଡା କହିଛନ୍ତି ଯେ ପ୍ରାୟ ୮୦ରୁ ଅଧିକ କମ୍ପାନୀ ଓଡ଼ିଶାର ଶିଳ୍ପ ବିକାଶ ନିମନ୍ତେ ୨,୦୩,୨୭୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି । ରାଜ୍ୟରେ ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ପଣ୍ଡା ବିଭିନ୍ନ ଉଦ୍ୟୋଗ, ନିବେଶକ ଓ ବିଶେଷଜ୍ଞମାନଙ୍କ ସହଯୋଗ କାମନା କରିଛନ୍ତି ।

ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଦ୍ୱାରା ଆହୂତ ୧୭ଶ ‘ବାୟୋଏସିଆ:୨୦୨୦’ ସମ୍ମିଳନୀରେ ପ୍ରାୟ ୩୭ଟି ଦେଶରୁ ୨୧୦୦ ପ୍ରତିନିଧି ଯୋଗଦେଇଥିବାବେଳେ ୧୦୦ ଆଲୋଚକ-ଗବେଷକ, ୮୦୦ କର୍ପୋରେଟ୍‌ କାର୍ଯ୍ୟକର୍ତ୍ତା ଏବଂ ୩୫୦ ଜଣ କମ୍ପାନୀ ନିର୍ବାହୀ ଯୋଗଦେଇଥିଲେ ।

ଗତକାଲି ସନ୍ଧ୍ୟାରେ ଆୟୋଜିତ ଉଦ୍‌ଯାପନୀ ଓ ଷ୍ଟାର୍ଟ ଅପ୍‌ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଣ୍ଡା ଯୋଗଦେଇ ରାଜ୍ୟରେ ଉପଲବ୍ଧ ଜୈବସଂବଳ ଓ ପଦାର୍ଥ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ବିଶେଷ କରି ଜନଜାତିବହୁଳ ଓ ସମୁଦ୍ରତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ କୃଷି କ୍ଷେତ୍ରରେ ବ୍ୟାପକ ବିକାଶର ସମ୍ଭାବନା ରହିଥିବା ଦର୍ଶାଇଛନ୍ତି ।

‘ବାୟୋଏସିଆ’ ସମାବେଶ ଅବସରରେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶାର ବିଜ୍ଞାନ ଓ କାରିଗରୀ ବିଭାଗ ଅଂଶଗ୍ରହଣ କରିଥିଲା ଓ ମନ୍ତ୍ରୀ ପଣ୍ଡା ଏହି ମଣ୍ଡପ ପରିଦର୍ଶନ କରିଥିଲେ । ହାଇଦ୍ରାବାଦ୍‌ ରହଣି କାଳରେ ମନ୍ତ୍ରୀ ଦେଶର ବୃହତ୍ତମ ବାୟୋଟେକ୍‌ନୋଲୋଜି ଓ ଫାର୍ମା ପାର୍କ ‘ଜେନୋମ୍‌ ଭ୍ୟାଲି’ ବୁଲି ଦେଖିଥିଲେ ।

ସେ ମଧ୍ୟ ଭାରତ ବାୟୋଟେକ୍‌ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ‘ବାୟୋଏସିଆ’ରେ ଓଡ଼ିଶାରୁ ବିଭାଗୀୟ ପଦାଧିକାରୀ, ବୈଜ୍ଞାନିକ, ପ୍ରତିଷ୍ଠିତ ବିଦ୍ୱାନ ଏବଂ କେତେକ କେ ର୍ପାରେଟ୍‌ କାର୍ଯ୍ୟକର୍ତ୍ତା ପ୍ରତିନିଧିତ୍ୱ କରିଥିଲେ ।

Comments are closed.