Odisha Link
Bridging the Missing Links in Odisha

ଏମ୍ସରେ ହିନ୍ଦୀ ବାଧ୍ୟତାମୂଳକ ନିଷ୍ପତିକୁ ବିଜେଡିର ବିରୋଧ

ଭୁବନେଶ୍ବର: ଏମ୍ସରେ ହିନ୍ଦୀ ବାଧ୍ୟତାମୂଳକ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ପରେ ଘଟଣାକୁ ନେଇ ଏମ୍ସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ପ୍ରତିନିଧି ଦଳ। କୌଣସି ପରିସ୍ଥିତିରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ବିଜେଡି ପକ୍ଷରୁ କହାଯାଇଛି। ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ୯ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଏମ୍ସ ନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଲୋକସଭା , ସାଂସଦ ଅନୁଭବ ମହାନ୍ତି, ପ୍ରସନ୍ନ ଆଚାର୍ଯ୍ୟ, ଶର୍ମିଷ୍ଠା ସେଠୀ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ୍ ପାତ୍ର, ସରୋଜିନୀ ହେମରମ୍ ପ୍ରମୁଖ ଏମ୍ସ ଗସ୍ତ କରି ଓଡିଶା ଏମ୍ସରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ ନିଷ୍ପତିକୁ ବିରୋଧ କରିଛନ୍ତି । ଏଥିସହ ବିଜେଡି ପକ୍ଷରୁ ଜାରି ଏହି ସ୍ମାରକପତ୍ର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନିକଟକୁ ପଠାଯାଇଛି

ସୂଚନାଯୋଗ୍ୟ, ଭୁବନେଶ୍ୱର ଏମ୍‌ସର ଉପନିର୍ଦ୍ଦେଶକ(ପ୍ରଶାସନିକ) ପିକେ ରାୟଙ୍କ ଦସ୍ତଖତରେ ଗୁରୁବାର ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ନିର୍ଦ୍ଦେଶନାମାରେ କହାଯାଇଛି ଯେ, ଏମ୍ସ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁଥିରେ ସମସ୍ତେ ହିନ୍ଦୀରେ ଦସ୍ତଖତ କରିବାକୁ କୁହାଯାଇଛି । ସମସ୍ତ ଫାଇଲ୍ର ନାଁ ଓ ବିଷୟ ହିନ୍ଦୀରେ ଲେଖାଯିବାକୁ ନିର୍ଦ୍ଦେଶ ରହିଛି। ରେଜିଷ୍ଟରର ନାଁ, ହେଡିଂ, ସବହେଡିଂ ହିନ୍ଦୀରେ ଲେଖାଯିବା ସହ ହିନ୍ଦୀରେ ଏଂଟ୍ରି କରିବାକୁ କୁହାଯାଇଛି। ଏହା ସହ ଅତିକମରେ ୩୦ ପ୍ରତିଶତ ନୋଟିଂ ଓ ୫୫ ପ୍ରତିଶତ ଚିଠିପତ୍ର ହିନ୍ଦୀରେ ଲେଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସେହିପରି ପ୍ରଶାସନିକ ବୈଠକରେ ହିନ୍ଦୀ ଭାଷା ବ୍ୟବହାର କରିବାକୁ କୁହାଯାଇଛି।

ବିଜୁ ଜନତା ଦଳ ପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେ ଏମ୍ସ ନିର୍ଦ୍ଦେଶିକା କହିଛନ୍ତି, ଆଇନ ଅନୁସାରେ ହିନ୍ଦୀ ଭାଷା ବ୍ୟବହାର ଲାଗି ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁ କର୍ମଚାରୀମାନେ ହିନ୍ଦୀ ଜାଣିଛନ୍ତି ସେମାନଙ୍କୁ ହିନ୍ଦୀ ବ୍ୟବହାର କରିବାକୁ କୁହାଯାଇଛି। ରୋଗୀଙ୍କ ସହିତ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ପୂର୍ବରୁ ଯେଭଳି ଓଡ଼ିଆ ଓ ଇଂରାଜୀ ବ୍ୟବହାର କରାଯାଉଥିଲା, ସେଭଳି ଜାରି ରହିବ। ଏମ୍ସ ନର୍ସିଂ ସ୍କୁଲରେ ପ୍ରଥମ ବର୍ଷଟି ଓଡ଼ିଆରେ ପାଠପଢ଼ା ହେଉଛି ବୋଲି ସେ ସୂଚନା ଦେଇଛନ୍ତି।

Comments are closed.