Odisha Link
Bridging the Missing Links in Odisha

୨୪ ଘଣ୍ଟାରେ କୋଟିଏ ଜରିମାନା

ଭୁବନେଶ୍ବର: ଆଜି ଦ୍ୱିତୀୟ ଦିନରେ ଟ୍ରାଫିକ ଚେକିଂ ଜୋରଦାର ହୋଇଛି। ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଆଦାୟ କରାଯାଇଛି। ଟ୍ରାଫିକ ନିୟମ ଉଂଲଘନ କରିଥିବା ୩ ହଜାର ୮୭୦ ଜଣଙ୍କର ଚାଲାଣ କଟାଯାଇଛି। ୩ ଜଣ ବସି ବାଇକ ଚଳାଉଥିବା ବେଳେ ୧୨୬ ଜଣ ଧରାପଡିଛନ୍ତି। ମୋବାଇଲରେ କଥା ହେଉଥିବା ବେଳେ ୪୮ ଜଣ, ବିନାହେଲମେଟରେ ୧୮୩୧ ଜଣ, ଦ୍ରୁତ ଗାଡ଼ି ଚାଳନା ପାଇଁ ୨୭୭ ଜଣ. ମଦ ପିଇ ଗାଡ଼ି ଚଳାଉଥିବା ବେଳେ ୨୪ ଜଣ, ବିନା ସିଟ ବେଲଟରେ ଗାଡ଼ି ଚଲାଉଥିବା ୩୪୯ ଜଣଙ୍କଠାରୁ ଚାଲାଣ କଟାଯାଇଛି।
ଆରଟିଓ ୧୭ ଶହ ୫୮ ଜଣଙ୍କ ଠାରୁ ୮୮ ଲକ୍ଷ ଆଦାୟ କରିଥିବା ବେଳେ ପୁଲିସ ୨୧ ଶହ ୧୨ ଜଣଙ୍କ ଠାରୁ ୧୮ ଲକ୍ଷ ଆଦାୟ କରିଛି। ସେପଟେ ଆଜି ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କରିଛି ପରିବହନ ବିଭାଗ। ଉଭୟ ଗାଡିକୁ ମୋଟ ୫୧ ହଜାର ଟଙ୍କା ଜରିମାନା କରାଯାଇଛି। ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ୫ହଜାର, ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ ନଥିବାରୁ ୧୦ ହଜାର ଚାଲାଣ କଟାଯାଇଛି। ଏହା ପରେ ଆଉ ଏକ ସ୍କୁଲ ଭ୍ୟାନକୁ ମଧ୍ୟ ସିଜ କରାଯାଇଛି। କାଗଜ ପତ୍ର ନଥାଇ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏହି ଭ୍ୟାନଠାରୁ ୩୭ ହଜାର ୫୦୦ ଟଙ୍କା ଚାଲାଣ କାଟିଛି ପୁଲିସ।
ସମ୍ବଲପୁରରେ ସ୍କୁଟିକୁ ୪୩ ହଜାର ଫାଇନ। ନାବାଳକ ଜଣକ ଗାଡି ଚଲାଉଥିବା ବେଳେ ପୁଲିସ ହାବୁଡାରେ ପଡିଥିଲେ। ତେବେ ଗାଡିର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର, ନାବାକଳ ୨୫ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର, ଗାଡିର ଇନସୁରାନ୍ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧିନଥିବାରୁ ୧ ହଜାର ଟଙ୍କାର ଚାଲାଣ କଟାଯାଇଛି। ସେପଟେ ସମ୍ବଲପୁରରେ ଟ୍ରାଫିକ ଯାଞ୍ଚବେଳେ ପୋଲିସ ହାବୁଡରେ ପଡିଛନ୍ତି କନଷ୍ଟେବଳ। ସମ୍ବଲପୁର ଧନୁପାଲି ଥାନା ଭୁଲିଆପଡା ଫାଣ୍ଡିର କନଷ୍ଟେବଳ ଦିଲ୍ଲୀପ ନାଗକୁ ଧରିଛି ପୋଲିସ। ଲକ୍ଷ୍ମୀବଜାର ଛକରେ ଏହି ଘଟଣା ଘଟିଛି। ପୋଲିସ ବର୍ତମାନ ତାଙ୍କୁ ଅଟକ ରଖିଛି। ଦିଲ୍ଲୀପ ଟ୍ରାଫିକ ନିୟମ ଭାଙ୍ଗି ମଦ୍ୟପ ଅବସ୍ଥାରେ ଗାଡି ଚଳାଉଥିଲେ . ଆଉ ଯାଞ୍ଚ ବେଳେ ସେ ମଦପିଇଥିବା ଜଣାପଡିଥିଲା।

Comments are closed.