Odisha Link
Bridging the Missing Links in Odisha

ଆଜିଠୁ +୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା। ଚଳିତ ବର୍ଷ ରାଜ୍ୟରେ ମୋଟ ୩ଲକ୍ଷ ୫୦ହଜାର ୮ଶହ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ୧୬୨୮ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ୧୧୪୩ କେନ୍ଦ୍ରରେ ପରୀକ୍ଷା ଦେବେ। ପରୀକ୍ଷାରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏବଂ କପି ରୋକିବା ପାଇଁ ୧୧୪୩ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି। ୨୦୨ଟି ହବରେ ପରୀକ୍ଷା ପ୍ରଶ୍ନପତ୍ର ରଖିବାର ବ୍ୟବସ୍ଥା ହୋଇଛି। ପ୍ରଥମ ଦିନ ବିଜ୍ଞାନ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କର ମାତୃଭାଷା ଓଡ଼ିଆ ପରୀକ୍ଷା ହେବ। ପରୀକ୍ଷା ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିବ।

ପ୍ରଶ୍ନପତ୍ରଗୁଡ଼ିକୁ ରାଜ୍ୟରେ ଥିବା ୨୦୨ଟି ହବ୍‌ରୁ ନିଆଯାଇ ସକାଳ ୯ଟା ୩୦ ମିନିଟ୍‌ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଯିବ। ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଓ ହବ୍ ଅବଜର୍ଭର ଓ ଜିଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ। ପରୀକ୍ଷା ହଲ୍‌କୁ ସିଲ୍ଡ କଭର୍‌ରେ ପ୍ରଶ୍ନପତ୍ର ୯ଟା୫୫ ସୁଦ୍ଧା ପହଞ୍ଚାଯିବ। ୧୦ଟା ସମୟରେ ପ୍ରଶ୍ନପତ୍ର ବିତରଣ କରାଯିବ। ଯଦି ପ୍ରଶ୍ନପତ୍ର ବଳିବ ତାକୁ ସିଲ୍‌ କରି ବନ୍ଦ ଲଫାପାରେ ରଖାଯିବ। ୧୦ଟା ୩୦ ମିନିଟ୍ ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲ୍ ଭିତରକୁ ଛଡ଼ାଯିବ ନାହିଁ।

Comments are closed.