୭୦ଟି ଦେଶକୁ ବ୍ୟାପୀଲାଣି କରୋନା

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ଆତଙ୍କ। କରୋନା ଭାଇରସ୍ ଯୋଗୁଁ ଏବେ ବିଶ୍ବବ୍ୟାପୀ ମୃତ୍ୟୁ ସଂଖ୍ୟା ୩,୧୧୯ରେ ପହଞ୍ଚିଥିବା ବେଳେ ୯୦,୯୩୨ ଲୋକ ଆକ୍ରାନ୍ତ ଅଛନ୍ତି। ଗତକାଲି ଭାରତରେ ଦୁଇ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଦିଲ୍ଲୀ ଆସିଥିଲା ବେଳେ ଆଉ ଜଣେ ଦୁବାଇରୁ ତେଲେଙ୍ଗାନା ଆସିଥିଲେ। ଉଭୟଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିିକିତ୍ସା କରାଯାଉଛି।
କାୟା ବିସ୍ତାର କରୁଥିବା କରୋନାର ନିୟନ୍ତ୍ରଣ ପାଇଁ ସାରା ବିଶ୍ବ ଏବେ ଚିନ୍ତିତ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO ରିପୋର୍ଟ ଅନୁଯାୟୀ ଚୀନ୍ ବାହାରେ କରୋନା ୯ ଗୁଣା ଅଧିକ ହାରରେ ବ୍ୟାପୁଛି। ଏଥିସହ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କଲାଣି କରୋନା। ବିଶ୍ୱସ୍ତରୀୟ ଓଇସିଡି ଆକଳନ ମୁତାବକ, କରୋନା ପ୍ରଭାବରେ ପୁଣି ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡିବ। ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ସିଧା ଯୋଗାଣ ଓ ଚାହିଦାକୁ ପ୍ରଭାବିତ କରିଛି। ଏପରି ସ୍ଥିତି ଜାରି ରହିଲେ, ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ହାର ୨.୪ ପ୍ରତିଶତ ନିମ୍ନ ସ୍ତରକୁ ତଳକୁ ଖସି ଆସିବା ଆଶଙ୍କା କରାଯାଉଛି। ସେପଟେ କରୋନା ଭୂତାଣୁ ୭୦ ଟି ଦେଶକୁ ବ୍ୟାପୀ ଥିବାରୁ ବହୁ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।