Odisha Link
Bridging the Missing Links in Odisha

ମହିଳାଙ୍କୁ ଉତ୍ସର୍ଗ ମୋଦିଙ୍କ ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଛାଡିବା ନେଇ ଏବେ ସବୁଆଡେ ଚର୍ଚ୍ଚା। ସୋସିଆଲ ମିଡିଆରୁ ସନ୍ୟାସ ନେବା ସସ୍‌ପେନ୍ସ ଉପରୁ ପରଦା ହଟାଇଛି ପ୍ରଧାନମନ୍ତ୍ରୀଙ୍କ ସଦ୍ୟ ଟୁଇଟ୍। ସୋସିଆଲ ମିଡିଆରୁ ମୋଦି ସନ୍ୟାସ ନେବେନି ବରଂ ଆସନ୍ତା ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏହାକୁ ମହିଳାଙ୍କ ପାଇଁ ଉତ୍ସର୍ଗ କରିବେ ମୋଦି। ଏହି ଦିନ ପ୍ରେରଣାଦାୟୀ ମହିଳାମାନଙ୍କ କାହାଣୀ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆରେ ସ୍ଥାନ ପାଇବ। ସେହି ଦିନ ସମାଜର ବିଭିନ୍ନ ବର୍ଗର ପ୍ରେରଣାଦାୟୀ ମହିଳାଙ୍କ ବିଷୟରେ ତଥ୍ୟ ସ୍ଥାନିତ ହେବ। ଏଥିସହ ‘ସି ଇନ୍ସପାୟାର୍ସ ଅସ୍‌’ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।

ଆଜି ଟ୍ୱିଟ୍‌ କରି ମୋଦି ଲେଖିଛନ୍ତି, “ ଚଳିତ ବର୍ଷ ମହିଳା ଦିବସ, ମୁଁ ମୋର ସୋଶାଲ୍‌ ମିଡିଆ ଆକାଉଣ୍ଟକୁ ମହିଳାମାନଙ୍କୁ ସମର୍ପିତ କରିବି। ଯାହାର ଜୀବନ ଏବଂ କାର୍ଯ୍ୟ ଆମକୁ ପ୍ରେରଣା ଯୋଗାଇଥାଏ। ଏହା ସେମାନଙ୍କୁ ଲକ୍ଷ ଲକ୍ଷ ପ୍ରେରଣା ପ୍ରଜ୍ୱଳିତ କରିବାରେ ସାହାଯ୍ୟ କରିବ”। ମୋଦି ଆହୁରି କହିଛନ୍ତି, “ଆପଣ ଏପରି ଜଣେ ମହିଳା କି ? କିମ୍ବା ଆପଣ ଏପରି ପ୍ରେରଣାଦାୟକ ମହିଳାଙ୍କୁ ଜାଣିଛନ୍ତି ? ତା’ହେଲେ #ସି ଇନ୍ସପାୟାର୍ସ ଅସ୍‌ ବ୍ୟବହାର କରି ଏଭଳି କାହାଣୀକୁ ଶେଆର କରନ୍ତୁ।

ସୂଚନାଯୋଗ୍ୟ ଯେ, ସୋଶାଲ ମିଡିଆରେ ମୋଦି ଅନେକ ପ୍ରସିଦ୍ଧ ଲୋକଙ୍କୁ ପଛରେ ପକାଇ ସର୍ବାଗ୍ରେ ଅଛନ୍ତି। ମୋଦିଙ୍କୁ ବର୍ତ୍ତମାନ ଫେସବୁକ୍‌ରେ ୪୪ ମିଲିଅନ୍‌ ଲୋକ ଅନୁସରଣ କରୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଏହି ସଂଖ୍ୟା ୩୫.୨ ମିଲିଅନ୍‌ ରହିଛି। ଟ୍ୱିଟରରେ ତାଙ୍କୁ ୫୩.୩ ମିଲିଅନ୍‌ ଲୋକ ଅନୁସରଣ କରୁଛନ୍ତି।

Comments are closed.