Odisha Link
Bridging the Missing Links in Odisha

ଜାତିସଂଘ ଅଧିବେଶନରେ ଯୋଗଦେବେ ଅଖଣ୍ଡ

ଭୁବନେଶ୍ବର: ଜଣାଶୁଣା ମାନବିକ ଅଧିକାର କର୍ମୀ ଅଖଣ୍ଡ ଜାତିସଂଘ ମାନବିକ ଅଧିକାର ପରିଷଦର ୪୩ତମ ଅଧିବେଶନରେ ଯୋଗଦେବେ । ଏଥିପାଇଁ ସେ ଆସନ୍ତା ୭ ତାରିଖରେ ନୂଆଦିଲ୍ଲୀରୁ ସ୍ୱିଜରଲାଣ୍ଡର ଜେନିଭା ସହରକୁ ଯାତ୍ରା କରିବେ ।

ଜେନିଭାରେ ଜାତିସଂଘ ମାନବିକ ଅଧିକାର ପରିଷଦର ମୁଖ୍ୟାଳୟ ରହିଛି । ସେଠାରେ ଗତ ଫେବୃୟାରୀ ୨୪ରୁ ଏହି ଅଧିବେଶନ ଚାଲିଛି । ଏହା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଠାରେ ବିଭିନ୍ନ ଦେଶର ମାନବିକ ଅଧିକାର ସ୍ଥିତି ଓ ସରକାରଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥାଏ ।

ବିଭିନ୍ନ ଦେଶର ମାନବିକ ଅଧିକାର ସଂସ୍ଥା ଓ ମାନବିକ ଅଧିକାର କର୍ମୀମାନେ ଯୋଗଦେଇ ଏସବୁକୁ ନିରୀକ୍ଷଣ କରିଥାନ୍ତି । ସେଠାରେ ହେବାକୁ ଥିବା ବିଭିନ୍ନ ବୈଠକରେ ମଧ୍ୟ ନିଜର ମତ ଓ ବିଭିନ୍ନ ପ୍ରସଙ୍ଗରେ ପରିଷଦର ଦୃଷ୍ଟି ଆକର୍ଷଣ କରିଥାନ୍ତି ।

ଜାତିସଂଘର ଏହି ଅଧିବେଶନରେ ଅଖଣ୍ଡ ପ୍ରଥମ ଥର ପାଇଁ ଯୋଗ ଦେଉଛନ୍ତି । ସେ ଭାରତରେ ହେଉଥିବା ବିଭିନ୍ନ ମାନବିକ ଅଧିକାର ଉଲଂଘନ, ମାନବିକ ଅଧିକାର କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଆଦି ଉପରେ ପରିଷଦର ଦୃଷ୍ଟି ଆକର୍ଷଣ କରିବେ ।

ଅଖଣ୍ଡଙ୍କ ଏହି ଗସ୍ତ ପାଇଁ ତାଙ୍କୁ ବିଭିନ୍ନ ସଂଗଠନ ଓ ସାମାଜିକ କର୍ମୀମାନେ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରିବା ପାଇଁ ମତ ଦେଇଛନ୍ତି ।

Comments are closed.