Odisha Link
Bridging the Missing Links in Odisha

ମଙ୍ଗଳ ଗ୍ରହରେ ରହସ୍ୟମୟ ଗର୍ତ୍ତ,ମିଳିପାରେ ଜୀବନର ସନ୍ଧାନ

ଓ୍ଵାସିଂଟନ୍‌: ମଙ୍ଗଳ ଗ୍ରହରେ ଥିବା ଏକ ଅସ୍ୱାଭାବିକ ପ୍ରକାରର ରହସ୍ୟମୟ ଗର୍ତ୍ତର ଫଟୋ ରିଲିଜ୍‌ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ ‘ନାସା’। ୨୦୧୧ ମସିହାରେ ଏହି ବିଚିତ୍ର ଗହ୍ଵର ଆବିଷ୍କାର କରାଯାଇଥିଲା। ମଙ୍ଗଳ ଗ୍ରହର ପାଭୋନିସ୍‌ ମନ୍‌ସ୍‌ ଆଗ୍ନେୟଗିରିର ଧୂଳିଧୂସରିତ ଢାଲୁ ଏହି ଫଟୋରେ ଦେଖାଯାଉଛି। ଯାହା ଭିତରେ ଗୁମ୍ଫା ଥିବାର ଅନୁମାନ କରାଯାଉଥିବା ବେଳେ ଏଥିରୁ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ମିଳିପାରେ ବୋଲି ଆଶଙ୍କା କରାଯାଉଛି। ସମ୍ପ୍ରତି ମଙ୍ଗଳ ଗ୍ରହ ପ୍ରଦକ୍ଷିଣ କରୁଥିବା ରୋବଟିକ୍‌ ରିକନେସାନ୍‌ସ୍‌ ଅବିର୍ଟର୍‌ରେ ଲାଗିଥିବା ‘ହାଇରାଇଜ୍‌’ ଉପକରଣରେ ଏହି ଫଟୋଟି ଉତ୍ତୋଳନ କରାଯାଇଛି।

ବୈଜ୍ଞାନିକଙ୍କ ମୁତାବକ ମଙ୍ଗଳ ଗ୍ରହରେ ଥିବା ଏହି ପ୍ରକାର ଗହ୍ଵର ଜୀବନ ଧାରଣ ପାଇଁ ଅପେକ୍ଷାକୃତ ଉତ୍ତମ ସ୍ଥାନ ହୋଇଥାଇ ପାରେ। କାରଣ ଏହି ଗହ୍ଵର ଅଭ୍ୟନ୍ତରରେ ଗୁମ୍ଫା ସବୁ ରହିଛି। ଏହା ସେଠାକାର ଜୀବସତ୍ତାକୁ ମଙ୍ଗଳପୃଷ୍ଠର ପ୍ରତିକୂଳ ପରିବେଶରୁ ସୁରକ୍ଷା ଦେଉଥିବ। ତେଣୁ ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ପଠାଇବାକୁ ଯୋଜନା କରୁଥିବା ମହାକାଶଯାନ, ରୋବୋଟ୍‌, ଏବଂ ମାନବମାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ଗହ୍ଵରରେ ପହଞ୍ଚିବା।

ଏହା ପୂର୍ବରୁ ମାର୍ଚ୍ଚ ୧ ତାରିଖରେ ନାସା ଏକ ବ୍ଲଗରରେ ମଙ୍ଗଳ ମିସନ ସମ୍ପର୍କିତ ରିପୋର୍ଟ ପ୍ରକାଶ କରିଥିଲେ। ଯେଉଁଥିରେ ସୌର ପରିବାରର ଚତୁର୍ଥ ଗ୍ରହ ମଙ୍ଗଳର ବାତାବରଣ ନେଇ ଅନେକ ସୂଚନା ରହିଛି। ମରୁଭୂମି ଭଳି ପରିବେଶ ଥିବା ଏହି ଗ୍ରହରେ ବାତାବରଣ ଅତ୍ୟନ୍ତ ସୁକ୍ଷ୍ମ ବୋଲି ଦର୍ଶାଯାଇଛି। ଏଥିରେ ଗ୍ରହରେ ଥିବା ଗର୍ତ୍ତର ଯେଉଁ ଫଟୋଟି ରହିଛି ତାର ମୁହଁ ପାଖାପାଖି ୩୫ ମିଟର ଖୋଲା ଥିବା ବେଳେ ତଳକୁ ୨୦ ମିଟର ଗର୍ତ୍ତ ଥାଇପାରେ ବୋଲି ଆକଳନ କରାଯାଉଛି।

ମଙ୍ଗଳ ଗ୍ରହର ପରିବେଶ ବିଶେଷ କରି ଧୂଳିପୂର୍ଣ୍ଣ ଓ ଶୀତଳ ବୋଲି ଗବେଷକମାନେ କହୁଛନ୍ତି। ହଜାରହଜାର ବର୍ଷ ପୂର୍ବେ ଗ୍ରହର ପରିବେଶ ବେଶ ଘନ ଥିବା ବେଳେ ଏଠାରେ ଆର୍ଦ୍ଦତା ଓ ଉଷ୍ମତା ବି ଥିଲା ବୋଲି ଅନୁଧ୍ୟାନକାରୀମାନେ କହିଛନ୍ତି। ତେବେ ମଙ୍ଗଳର ଅନୁଧ୍ୟାନ ଲାଗି ନାସା ଅନ୍ତରୀକ୍ଷକକୁ ୩ଟି ଉପଗ୍ରହ ପ୍ରେରଣ କରିଥିବା ବେଳେ ଇୟୁରୋପୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇଏସଏ) ଗୋଟିଏ ଓ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଗୋଟିଏ ଲେଖାଏଁ ପ୍ରକଳ୍ପ ମଙ୍ଗଳକୁ ପ୍ରେରଣ କରିଛନ୍ତି। ଏଥିରୁ ମଙ୍ଗଳ ଗ୍ରହର ଗର୍ତ୍ତ ନେଇ ଅନେକ ତଥ୍ୟ ମିଳିପାରିବ ବୋଲି ଏବେ ଆଶା କରାଯାଉଛି। ଯାହା ଭବିଷ୍ୟତର ମଙ୍ଗଳ ଅଭିଯାନରେ ସହାୟକ ହୋଇପାରେ।

Comments are closed.