ନାବାଳକ ବାଇକ୍ ଚାଳକଙ୍କୁ ୨୫ ହଜାର ଜରିମାନା

ସମ୍ବଲପୁର : ସମ୍ବଲପୁରରେ ପୁଣି ଟ୍ରାଫିକ୍ ଚେକିଂ କଡାକଡି ହୋଇଛି। ନାବାଳକ ଗାଡି ଚାଳାଇବା ଯୋଗୁଁ ପୁଣି କଟିଲା ୨୫ ହଜାର ଟଙ୍କାର ଫାଇନ୍ । ସମ୍ବଲପୁର ଅଇଁଠାପାଲି ବୁଢାରଜାରେ ଚେକିଂ ସମୟରେ ପରିବହବ ବିଭାଗ ହାବୁଡରେ ପଡି ଫାଇନ୍ ଗଣିଛନ୍ତି ନାବାଳକ।
ମିଳିଥିବା ସୂଚନା ଅନୁସାରେ, ନାବାଳକ ଜଣଙ୍କ ଏକ ଆପାଚି ବାଇକରେ ଯାଉଥିବାବେଳେ ପରିବହନ ବିଭାଗ ତାଙ୍କୁ ଧରିଥିଲା।। ତେବେ ଅଫେନ୍ସ ବାଏ ଜୁଭିନାଇଲରେ ତାଙ୍କ ବାପାଙ୍କୁ ୨୫ ହଜାର ଟଙ୍କାର ଫାଇନ୍ ପଡିଛି । ପୂର୍ବରୁ ସମ୍ବଲପୁରରେ ନାବାଳକ ଗାଡି ଚଳାଇ ମୋଟା ଅଙ୍କର ଫାଇନ୍ ଗଣିଛନ୍ତି। ଗତକାଲି ଦୁଇ ଜଣ ନାବାଳକଙ୍କୁ ୬୦ ହଜାର ଫାଇନ୍ କରିଥିଲା ପରିବହନ ବିଭାଗ। ଜଣେ ନାବାଳକ ସ୍କୁଟିରେ ତାଙ୍କ ମା’ଙ୍କୁ ମନ୍ଦିରରେ ଛାଡି ଆସୁଥିବାବେଳେ ପରିବହନ ବିଭାଗ ହାବୁଡରେ ପଡି ୩୦ ହଜାର ଫାଇନ୍ ଗଣିଥିଲେ। ସେହିପରି ଅନ୍ୟ ଜଣେ ନାବାଳକ ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ମଧ୍ୟ ପରିବହନ ବିଭାଗ ୩୦ ହଜାର ଫାଇନ୍ ପକାଇଥିଲା । ଉଭୟ ଅଇଁଠାପାଲିରେ ଚେକିଂ ସମୟରେ ଧରାପଡିଥିଲେ।