Odisha Link
Bridging the Missing Links in Odisha

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧କୋଟି ଦେବେ ଉଦ୍ଧବ

ଅଯୋଧ୍ୟା: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ୧୦୦ ଦିନ ପୂରଣ ଅବସରରେ ଆଜି ଅଯୋଧ୍ୟା ଗସ୍ତ କରିଛନ୍ତି ଉଦ୍ଧବ ଠାକରେ। ଏହି ଅବସରରେ ଉତ୍ତର ପ୍ରଦେଶ ପୋଲିସ୍‌ ଗାର୍ଡ ଅଫ୍‌ ଅନର ଦେଇ ଉଦ୍ଧବଙ୍କୁ ସ୍ବାଗତ କରିଥିଲେ। ସପରିବାର ଓ ଶିବସେନାର କିଛି ନେତାଙ୍କ ସହ ଅଯୋଧ୍ୟା ଗସ୍ତ କରିଛନ୍ତି ଉଦ୍ଧବ। ସୁପ୍ରିମକୋର୍ଟଙ୍କ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଶୁଣାଣି ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଗସ୍ତ କରିଛନ୍ତି ଉଦ୍ଧବ।

ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଯେ, ଆଜି ମୁଁ ଘୋଷଣା କରୁଛି ରାମ ମନ୍ଦିର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ନୁହେଁ ବରଂ ମୋ ଟ୍ରଷ୍ଟରୁ କୋଟିଏ ଟଙ୍କା ଦେବି। ଏହା ମୋ ଭାଗରୁ ଏକ ଛୋଟ ଯୋଗଦାନ ହେବ। ସେ ଆହୁରି ମଧ୍ୟ କହିଛନ୍ତି, ଏଠାକୁ ଆସିବା ମୋ ପାଇଁ ଏକ ସମ୍ମାନଜନକ କଥା। ମୁଁ ଯେତେବେଳେ ଏଠାକୁ ଆସିଥିଲି ଜଣାନଥିଲା କେବେ ଏବଂ କେମିତି ଏଠାରେ ରାମ ମନ୍ଦିର ହେବ। ମୁଁ ଏଠାକୁ ରାମଲାଲାଙ୍କ ଆଶୀର୍ବାଦ ନେବାକୁ ଆସିଛି। ଗତ ଦେଢ଼ ବର୍ଷରେ ଏଭଳି ମୁଁ ୩ ଥର ଆସିଲିଣି।

ଆହୁରି କହିଛନ୍ତି, ମୁଁ ସରଯୂ ନଦୀରେ ବୁଡ଼ ପକାଇବାର ଥିଲା। କିନ୍ତୁ ବର୍ତ୍ତମାନ କରୋନା ଭାଇରସର ଭୟାବହତା ବ୍ୟାପୁଛି। ମୁଁ ମୋ ରାଜ୍ୟର ଲୋକଙ୍କୁ ମଧ୍ୟ ଗହଳିଠାରୁ ଦୂରେଇ ରହିବାକୁ କହିଛି। ତେଣୁ ଆରତୀରେ ଭାଗ ନେଇପାରୁନି। ଖୁବଶୀଘ୍ର ଏଠାକୁ ପୁଣି ଆସିବି। ସେ ଏହି ଅବସରରେ କହିଛନ୍ତି, ସେ ବିଜେପିଠାରୁ ଅଲଗା ହୋଇଥାଇପାରନ୍ତି, ହିନ୍ଦୁତ୍ୱ ଠାରୁ ନୁହେଁ।

Comments are closed.