Odisha Link
Bridging the Missing Links in Odisha

‘କରୋନା’ ଭୟରେ ନବବଧୂଙ୍କୁ ନିର୍ଯାତନା

ଉମରକୋଟ : କରୋନାର ଭୟ ସମସ୍ତଙ୍କୁ ଘାରିବାରେ ଲାଗିଛି । ସାମାନ୍ୟ ଛିଙ୍କ ହେଲେ ମଧ୍ୟ ଲୋକ ମାନେ ଡ଼ରି ଯାଉଛନ୍ତି । ଏହି ଭାଇରସ କାରଣରୁ ଜଣେ ନବବଧୂଙ୍କୁ ନିର୍ଯ୍ୟାତନା ସହିବାକୁ ମଧ୍ୟ ପଡ଼ିଛି । ବାହାଘରକୁ ତାଙ୍କର ୧୫ ଦିନ ବିତିନି ।

ସାମାନ୍ୟ ଛିଙ୍କ ହେବାରୁ ‘କରୋନା’ ସନ୍ଦେହରେ ନିର୍ଯାତନା ଦେଉଥିଲେ ସ୍ୱାମୀ ଓ ଶ୍ୱଶୁର । ଏନେଇ ସେ ଅଭିଯୋଗ ଦେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାଟି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଘଟିଛି ।

ସୂଚନା ଅନୁସାରେ ଗତ ୨ ତାରିଖରେ ୟୁଭି-୩ ମୁର୍ତ୍ତୁମା ଗାଁର ଆରାଧନା ସର୍କାରଙ୍କ ଝିଅ ପୂଜା ଉମରକୋଟ ସହର ସନ୍ତୋଷୀନଗର ଯୁବରାଜ ଓକିଲଙ୍କ ପୁଅ ଜୟନ୍ତଙ୍କୁ ବିବାହ କରିଥିଲେ । ବିବାହ ବୈଦିକ ରୀତିନୀତିରେ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ ନଗଦ ଅଢ଼େଇ ଲକ୍ଷ ଟଙ୍କା, ଗୋଟିଏ ବାଇକ, ୫ ଲକ୍ଷ ଟଙ୍କାର ସୁନା ଓ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା ।

ମାତ୍ର ଏଥିରେ ସନ୍ତୁଷ୍ଟ ନଥିଲେ ଜୟନ୍ତଙ୍କ ପରିବାର । ଆଉ ୨ ଲକ୍ଷ ଟଙ୍କା ଆଣିବା ପାଇଁ ପୂଜାଙ୍କୁ କହିଥିଲେ। ପୂଜା ଏଥିରେ ରାଜି ହୋଇନଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ମାନସିକ ଓ ଶାରୀରିକ ନିର୍ଯାତନା ।

ବାରମ୍ୱାର ନିର୍ଯାତନା ଦିଆଯାଉଥିବା ପୂଜା ଅସୁସ୍ଥ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ଥଣ୍ଡା ଓ ଛିଙ୍କ ହୋଇଥିଲା। ଏହା ଦେଖି ତାଙ୍କୁ ‘କରୋନା’ ହୋଇଥିବା ସନ୍ଦେହ କରିଥିଲେ ପରିବାର ଲୋକ। ସେଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଏକ ଘରିଆ କରିଦେଇଥିଲେ। ତଳେ ଶୋଇବାକୁ ଦେବା ସହିତ ଏକୁଟିଆ ଖାଇବାକୁ ଦେଉଥିଲେ ।

ଏପରିକି ତାଙ୍କୁ ମାରିଦେବାକୁ ଯୋଜନା ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଏକଥା ପୂଜା ଜାଣିପାରି ସେମାନଙ୍କୁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇଥିଲେ। ଆଉ ଲୋଭରେ ବସବର୍ତ୍ତୀ ହୋଇ ଶ୍ୱଶୁରଘର ଲୋକ ତାଙ୍କୁ ଟଙ୍କା ଅଣିବାକୁ ବାପଘରକୁ ପଠାଇଥିଲେ ।

ପୂଜା ଏନେଇ ବାପଙ୍କୁ କହିବା ସହିତ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସ୍ୱାମୀ ଜୟନ୍ତ ଓ ଶ୍ୱଶୁର ଯୁବରାଜଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.