କରୋନା ପାଇଁ ବାର୍ଷିକ ଅଧିବେଶନ ବାତିଲ୍ କଲା ‘ଆର୍ଏସ୍ଏସ୍’

ନୂଆଦିଲ୍ଲୀ: କରୋନା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆର୍ଏସ୍ଏସ୍) ତା’ର ବାର୍ଷିକ ଅଧିବେଶନ ବାତିଲ କରିଛି। ଏନେଇ ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। କରୋନାଭାଇରସ୍ ସଂକ୍ରମଣ ଆଶଙ୍କା ଥିବାରୁ ସରକାର ସଭା ସମିତିରେ ହେଉଥିବା ଜନସମାଗମ ଉପରେ କଟକଣା ଲାଗୁ କରିଛନ୍ତି। ସରକାରଙ୍କର ନିର୍ଦେଶାବଳୀ ଆଧାରରେ ଏହି ଅଧିବେଶନ ବାତିଲ କରାଯାଇଥିବା ଜଣାପଡ଼ିଛି।
ମାର୍ଚ ୧୫ ରୁ ମାର୍ଚ ୧୭ ତାରିଖ ଯାଏଁ ବେଙ୍ଗାଲୁରୁରେ ବସିବାକୁ ଥିବା ଏହି ଅଧିବେଶନ ବାତିଲ କରାଯାଇଥିବା କଥା ‘ଆର୍ଏସ୍ଏସ୍’ର ସାଧାରଣ ସଚିବ ସୁରେଶ ଭୈୟାଜି ଯୋଶୀ ଏକ ବିବୃତିରେ କହିଛନ୍ତି। ତିନି ଦିନ ବ୍ୟାପୀ ହେଉଥିବା ‘ଅଖିଳ ଭାରତୀୟ ପ୍ରତିନିଧି ସଭା’ରେ ଆର୍ଏସ୍ଏସ୍ ସମେତ ଏହାର ଅନୁବନ୍ଧିତ ସମସ୍ତ ସଂଗଠନର ମୁଖ୍ୟମାନେ ଅଂଶଗ୍ରହଣ କରନ୍ତି। ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ମଧ୍ୟ ଏଥିରେ ସାମିଲ ହୁଅନ୍ତି।
୧୧ଟି ଜୋନ୍ରୁ ପ୍ରାୟ ୧୫୦୦ ପ୍ରତିନିଧି ଏଥିରେ ଯୋଗ ଦେଇ ଥାଆନ୍ତେ। ଏହାଛଡ଼ା ୪୪ଟି ସେକ୍ସନ୍ର ରାଜ୍ୟସ୍ତରୀୟ ନିର୍ବାହୀ, ୩୫ଟି ସଂଗଠନର ଜାତୀୟସ୍ତରୀୟ ପ୍ରତିନିଧି ଏବଂ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଏଥିରେ ଯୋଗ ଦେଇଥାଆନ୍ତେ। ପୂର୍ବରୁ ଦୁଇ ଥର ଏହି ଅଧିବେଶନ ବାତିଲ ହୋଇଥିଲା। ଥରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ସମୟରେ ଓ ଆଉ ଥରେ ଜରୁରୀ ପରିସ୍ଥିତି ଜାରି ସମୟରେ ‘ଆର୍ଏସ୍ଏସ୍’କୁ ନିଷିଦ୍ଧ କରାଯାଇଥିଲା।