Odisha Link
Bridging the Missing Links in Odisha

ଗୋମୂତ୍ର ପିଇ ଯୁବକ ଅସୁସ୍ଥ, ବିଜେପି ନେତା ଗିରଫ

କୋଲକାତା: କରୋନା ଭୂତାଣୁ ଠାରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ଜଣେ ସ୍ବେଚ୍ଛାସେବୀଙ୍କୁ ଗୋମୂତ୍ର ପିଆଇ ବିଜେପିର ଜଣେ କର୍ମୀ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ସ୍ବେଚ୍ଛାସେବୀ ଜଣକ ଗୋମୂତ୍ର ପିଇ ଅସୁସ୍ଥ ଅନୁଭବ କରିବା ପରେ ପୁଲିସରେ ଏ ନେଇ ଅଭିଯୋଗ କରିଥିଲେ। ପୀଡ଼ିତଙ୍କ ଅଭିଯୋଗ ଆଧାରରେ କୋଲକାତା ପୁଲିସ ବିଜେପିର ଜଣେ କର୍ମୀଙ୍କୁ ଗିରଫ କରିଛି।

ଗିରଫ ରାଜନୈତିକ କର୍ମୀଙ୍କ ନାମ ନାରାୟଣ ଚାଟାର୍ଜୀ, ବୟସ ୪୦ ବର୍ଷ। ଉତ୍ତର କୋଲାକାତା ଜୋରଶାଖ ଅଞ୍ଚଳର ବିଜେପି କର୍ମୀ ନାରାୟଣ ସୋମବାର ଦିନ ସ୍ଥାନୀୟ ଏକ ଗୋଶାଳାରେ ଗୋପୂଜନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଗୋପୂଜନ ପରେ ସେ ଉପସ୍ଥିତ ଜନତାଙ୍କୁ ଗୋମୂତ୍ର ପିଇବା ପାଇଁ ଦେବା ସହ ଗୋମୂତ୍ରର ଚମତ୍କାରୀ ବାବଦରେ କହିଥିଲେ।

ସେହି ଗୋଶାଳା ପାଖରେ କାର୍ଯ୍ୟରତ କୋଲାକାତା ମୁନିସିପାଲିଟିର ଜଣେ ସ୍ବେଚ୍ଛାସେବୀ ମଧ୍ୟ ନାରାୟଣଙ୍କ ଠାରୁ ଗୋମୂତ୍ର ପିଇଥିଲେ। ତେବେ ମଙ୍ଗଳବାର ଦିନ ସେ ଅସୁସ୍ଥ ହୋଇପଡ଼ିବା ପରେ ସେ ଏ ନେଇ ପୁଲିସରେ ଏକ ଅଭିଯୋଗ କରିଥିଲେ। ଯୁବକଙ୍କ ଅଭିଯୋଗ ଭିତ୍ତିରେ ମଙ୍ଗଳବାର ରାତିରେ ନାରାୟଣଙ୍କୁ ଗିରଫ କରାଯାଇଥିଲା।

ତେବେ ନାରାୟଣଙ୍କ ଗରଫଦାରୀ ଭିତ୍ତିହୀନ ବୋଲି କହିବା ସହ ରାଜ୍ୟ ବିଜେପି ନେତୃବୃନ୍ଦ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛନ୍ତି। ବିଜେପିର ରାଜ୍ୟ ମହାସଚିବ ଶାୟନ୍ତନ ବସୁ କହିଛନ୍ତି, “ନାରାୟଣ କାହାକୁ ଠକିନାହାନ୍ତି। ସେ ଗାମୂତ୍ର ହିଁ ବଣ୍ଟନ କରିଛନ୍ତି ଓ ଏହା ବାଣ୍ଟିବା ବେଳେ ଗୋମୂତ୍ର ବୋଲି ଜଣାଇଛନ୍ତି। ସେ କାହାକୁ ଗୋମୂତ୍ର ପିଇବା ପାଇଁ ବାଧ୍ୟ କରିନାହାନ୍ତି। ତାଙ୍କୁ ଗିରଫ କରାଯିବା ସମ୍ପୂର୍ଣ୍ଣ ଅଗାଣତାନ୍ତ୍ରିକ।”

ଗୋମୂତ୍ର ପିଇବା ଆଦୌ ବିପଦଜନକ ନୁହେଁ ଓ ସେ ମଧ୍ୟ ପିଅନ୍ତି ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ। ଅନ୍ୟପଟେ ବିଜେପି ସାଂସଦ ଲକେଟ୍‌ ଚାଟର୍ଜୀ ଗୋମୂତ୍ର ପାନକୁ ସମାଲୋଚନା କରିଛନ୍ତି। ଗୋମୂତ୍ର-ପାନ ବିଜ୍ଞାନସମ୍ମତ ନୁହେଁ ଓ ଏହା ବନ୍ଦହେବା ଉଚିତ ବୋଲି ଲକେଟ୍‌ କହିଛନ୍ତି।

Comments are closed.