ଓଡ଼ିଶା ଲକ୍ଡାଉନ୍: କ’ଣ କରିବେ, କ’ଣ ନ କରିବେ ଜାଣନ୍ତୁ

ଭୁବନେଶ୍ବର: କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ପ୍ରାୟ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ୭ ଦିନରୁ ଅଧିକ ସମୟ ଧରି (୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ) ଏହି ଲକ୍ଡାଉନ୍ ବଳବତ୍ତର ରହିବ। ଯେଉଁମାନେ ଲକ୍ଡାଉନ୍ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଲୋକଙ୍କ ସ୍ବାର୍ଥ ପାଇଁ ସରକାର କରିଥିବା ଏହି କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଁ ପୋଲିସକୁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲଂଘନକାରୀଙ୍କୁ ଭାରତୀୟ ପିଙ୍ଗଳ କୋଡ୍ ଧାରା ୧୮୮ ଭିତ୍ତିରେ ଦଣ୍ଡ ଦିଆଯିବ ବୋଲି ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲା ସହ ୮ଟି ସହର ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ଆସନ୍ତାକାଲି ଠାରୁ ଲକ୍ଡାଉନ୍ ଆରମ୍ଭ ହେବ।
ତେବେ ଏଇ ସମୟରେ କ’ଣ ନିଷେଧ କରାଯାଇଛି, କେଉଁ କଟକଣା ବଳବତ୍ତର ରହିବ ଓ କେଉଁ ସେବା ଉପଲବ୍ଧ ହେବ, ଜାଣନ୍ତୁ।
ବନ୍ଦ
୧.) ଲୋକମାନଙ୍କୁ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରିବା ପାଇଁ ବାରଣ କରାଯାଇଛି।
୨.) ବସ୍, ଟାକ୍ସି, ଅଟୋରିକ୍ସା ସମେତ କୌଣସି ପବ୍ଲିକ୍ ଟ୍ରାନ୍ସପୋର୍ଟ ଚାଲିବନାହିଁ। ତେବେ ଡାକ୍ତରଖାନା, ରେଳଷ୍ଟାସନ୍ ଓ ବିମାନବନ୍ଦର ଯାଉଥିବା ଗାଡ଼ିକୁ ଏଥିରୁ ବାଦ ଦିଆଯାଇଛି।
୩.) ସମସ୍ତ ଦୋକାନ, ବ୍ୟବସାୟିକ ପେଣ୍ଠ, କାର୍ଯ୍ୟାଳୟ, ସପିଂ ମଲ୍, କାରଖାନା, ଗୋଦାମ ଆଦି ବନ୍ଦ ରହିବ।
୪.) ଲକ୍ଡାଉନ୍ ସମୟରେ ଉପରୋକ୍ତ ୫ ଜିଲ୍ଲା ଓ ୮ ସହରରେ ହିତାଧିକାରୀଙ୍କୁ କୌଣସି ସରକାରୀ ସୁବିଧା (ଚାଉଳ, ଭତ୍ତା ଆଦି) ବଣ୍ଟନ କରାଯିବ ନାହିଁ।
୫.) ବିଦେଶ ଫେରନ୍ତାମାନେ ୧୪ ଦିନ ଯାଏଁ କଡ଼ା ଗୃହ ଏକାନ୍ତବାସରେ ରହିବେ।
୬.) ପୂର୍ବରୁ ଜାରି ହୋଇଥିବା ସମସ୍ତ କଟକଣା ବଳବତ୍ତର ରହିବ।
ଖୋଲା
୧.) ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଓ ବ୍ଲକ୍ କାର୍ଯ୍ୟାଳୟ ଖୋଲା ରହିବ।
୨.) ଥାନା, ଡାକ୍ତରଖାନା, ପୌର କାର୍ଯ୍ୟାଳୟ, ଅଗ୍ନିଶମ କାର୍ଯ୍ୟାଳୟ ମଧ୍ୟ ଖୋଲା ରହିବ।
୩.) ରେଳ ଷ୍ଟେସନ୍, ବିମାନ ବନ୍ଦର, ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଖୋଲା ରହିବ। ଏଠାରେ ଥିବା ଖାଦ୍ୟପାନୀୟ ଦୋକାନ ସବୁ ସ୍ଥାନୀୟ ପ୍ରଶାସନ ନିୟନ୍ତ୍ରଣ କରିବ।
୪.) ବିଦ୍ୟୁତ୍ ବିତରଣ, ଜଳ ବିତରଣ ଓ ଅନ୍ୟ ପୌର ସେବା ଚାଲୁ ରହିବ।
୫.) ବ୍ୟାଙ୍କ୍ / ଏଟିଏମ୍, ଖବର କାଗଜ କାର୍ଯ୍ୟାଳୟ, ଇଲେକଟ୍ରନିକ୍ସ ମଡିଆ, ସୋସିଆଲ୍ ମିଡିଆ ଆଦି ଖୋଲା ରହିବ।
୬.) ଟେଲିଫୋନ୍, ଇଣ୍ଟନେଟ୍ ସେବା, ପୋଷ୍ଟାଲ ସେବା, ଯୋଗାଣ ବ୍ୟବସ୍ଥା ଓ ତତ୍ସମ୍ପର୍କିତ ପରିବହନ ଚାଲୁ ରହିବ।
୭.) ଲୋକମାନେ ଇ-କମର୍ସ ସାଇଟ୍ରୁ ଖାଦ୍ୟ, ଔଷଧ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ମଗାଇ ପାରିବେ।
୮.) ଖାଦ୍ୟ, ତେଜରାତି, କ୍ଷୀର, ପାଉଁରୁଟି, ଫଳ, ପନିପରିବା, ମାଂସ, ମାଛ ଉପଲବ୍ଧ ହେବ। ଏସବୁର ପରିବହନ ଓ ସଂଚୟ ବଳବତ୍ତର ରହିବ।
୯.) ପେଟ୍ରୋଲ ପମ୍ପ, ଏଲପିଜି ଗ୍ୟାସ ବିତରଣ, ତେଲ ଏଜେନ୍ସି, ଏ ସମ୍ପର୍କିତ ଗୋଦାମ ଖୋଲା ରହିବା ସହ ପରିବହନ ଚାଲୁରହିବ।
୧୦.) ଯେଉଁ କାରଖାନା ନିରନ୍ତର ଚାଲୁ ଜରୁରୀ ତାହା ଚାଲୁ ରହିବ।