Odisha Link
Bridging the Missing Links in Odisha

କରୋନା ଲଢ଼େଇ: ଆର୍ଥିକ ସଂକଟ ଆରମ୍ଭ

ଶୁଭ୍ରାଂଶୁ ପଣ୍ଡା

କରୋନା ଲଢ଼େଇରେ ସାରା ଦେଶ ଅଭୂତପୂର୍ବ ସହଯୋଗ କରିଥିବା ବେଳେ ଦେଶ ପାଇଁ ଓ ଦେଶବାସୀଙ୍କ ପାଇଁ ବଡ଼ ଅର୍ଥନୈତିକ ସଂକଟ ମାଡ଼ିଆସୁଛି। ଘରୁ ନ ବାହାରିବା ଲାଗି କଟକଣା ଥିବାରୁ ଅନେକ ଶିଳ୍ପ ଓ କାର୍ଯ୍ୟକ୍ଷେତ୍ର ବନ୍ଦ ରହିବ। ସରକାରୀ କ୍ଷେତ୍ର ବା ବଡ଼ କର୍ପୋରେଟ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ରୋଜଗାର ଏବେ ଅନିଶ୍ଚିତତା ଭିତରେ। ସବୁଠୁ ଅଧିକ ପ୍ରଭାବିତ ହେବ ଅଣସଂଗଠିତ କ୍ଷେତ୍ର। ଦିନମଜୁରିଆ, ଗୃହସହାୟକ, ଗାଡ଼ିଚାଳକ ଆଦି ଅଧିକ ପ୍ରଭାବିତ ହେବେ।

ଗରିବ ଓ ଗୃହହୀନ ବ୍ୟକ୍ତିଙ୍କ ପାଇଁ କରୋନା ଭୂତାଣୁ ସବୁଠୁ ବଡ଼ ଅଭିଶାପ ହୋଇ ଠିଆ ହୋଇଛି। ସକାଳ ପାଇଲେ କାମକୁ ଗଲେ ଯେଉଁମାନେ ସଂଧ୍ୟାର ଦିମୁଠା ଦାନା ଯୋଗାଡ଼ କରନ୍ତି ସେମାନଙ୍କ ଜୀବନ ଏବେ ସବୁଠୁ କାନ୍ତାରରେ। ଦିଲ୍ଲୀ ଭଳି ଅଳ୍ପ କେତେକ ରାଜ୍ୟରେ ଏବେ ଗରୀବ ଓ ଗୃହହୀନଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା କରାଯାଉଛି। ତେବେ ଓଡ଼ିଶା ଭଳି ବହୁ ରାଜ୍ୟରେ ଏବେ ଏମାନଙ୍କ ଜୀବନ ସଂକଟରେ।

ସେବା କ୍ଷେତ୍ର: କ୍ଷୁଦ୍ର ବ୍ୟବସାୟୀ, ଖୁଚୁରା ଦୋକାନୀ, ବିଶେଷ କରି ଯେଉଁ ସାମଗ୍ରୀ ଅତ୍ୟାବଶ୍ୟକୀୟ ନୁହେଁ ସେ ସବୁର ବିକ୍ରେତା- ଉଦାହରଣ ସ୍ବରୂପ, ବହି, ଚିତ୍ରକଳା, ବସ୍ତ୍ର, ଇଣ୍ଟେରିଅର୍‌ ଡିଜାଇନ୍‌ ସାମଗ୍ରୀ, ବାସନ, ଘରକରଣା ସାମଗ୍ରୀ, ସିମେଣ୍ଟ୍‌ ଆଦିର ଦୋକାନ, ବିଉଟି ସେଲୁନ୍, ଫାଷ୍ଟ୍‌ ଫୁଡ୍‌ ଦୋକାନ, ଆଇସକ୍ରିମ୍‌ ବ୍ୟବସାୟୀ, ରାସ୍ତାକଡ଼ ଉଠା ଦୋକାନ, ଗାଡ଼ି ବ୍ୟବସାୟୀ, ଇଲେକ୍‌ଟ୍ରନିକ୍ସ ଦ୍ରବ୍ୟ ବ୍ୟବସାୟୀ, କୋରିଅର୍‌ ଶିଳ୍ପ, ପରିବହନ ଶିଳ୍ପ ଆଦି ବେଶ୍‌ ପ୍ରଭାବିତ ହେବ। ଅନେକ କ୍ଷେତ୍ରରେ ଏସବୁରେ କାମ କରୁଥିବା ବା ଏହାକୁ ବ୍ୟବସାୟ କରିଥିବା ବ୍ୟକ୍ତିବିଶେଷଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।

ଖବର ଶିଳ୍ପ: କରୋନା ଭୂତାଣୁ ସଂକ୍ରମଣ ସମୟରେ ସବୁଠୁ ବଡ଼ ଭୂମିକା ବହନ କରୁଛି ଖବର ଶିଳ୍ପ। ଘରୁ ବାହାରୁ ନଥିବା ଲୋକଙ୍କ ପାଖରେ ସରକାରଙ୍କ ସମସ୍ତ ବାର୍ତ୍ତା ସାଙ୍ଗକୁ ରୋଗ ସମ୍ପର୍କିତ ଟିକିନିଖି ଖବର ପହଞ୍ଚି ପାରୁଛି ଏହି ଶିଳ୍ପ ମାଧ୍ୟମରେ। ତେବେ ସରକାରୀ ଗଣମାଧ୍ୟମ, ବଡ଼ ବଡ଼ ଖବରକାଗଜ, ଟିଭି ଚ୍ୟାନେଲ୍‌ ଓ ବିଜ୍ଞାପନ ପାଇବା ଲାଗି ଅନୁମୋଦିତ ନ୍ୟୁଜ୍‌ପୋର୍ଟାଲ୍‌ ସବୁକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଖବର ସରବରାହ ସଂସ୍ଥାର ଅବସ୍ଥା ଶୋଚନୀୟ ଆଡ଼କୁ ଗତି କରୁଛି। କଟକଣା ସମୟରେ ବି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ଅନ୍‌ଲାଇନ୍‌ ମିଡିଆ ଶିଳ୍ପ ବେଶ୍‌ ପ୍ରଭାବିତ ହେବ।

ଷ୍ଟାର୍ଟ-ଅପ୍: କରୋନା ଅବରୋଧ ଯୋଗୁଁ ବହୁ ଷ୍ଟାର୍ଟ-ଅପ୍‌ ଏକ ପ୍ରକାର ଅଚଳ ଅବସ୍ଥା ଆଡ଼କୁ ଗତି କରୁଛି। ଅନ୍‌ଲାଇନ୍‌ ସପିଂ ସମ୍ପର୍କିତ ଷ୍ଟାର୍ଟ-ଅପ୍‌କୁ ଛାଡ଼ିଦେଲେ ବାକି ସମସ୍ତଙ୍କ ଅବସ୍ଥା ଏବେ ଅସମ୍ଭାଳ। ପ୍ରଥମରୁ ଆର୍ଥିକ ଅନଟନ ଭିତରେ ସଂଘର୍ଷ କରୁଥିବା ନୂଆ ଓ ପରୀକ୍ଷାମୂଳକ ଷ୍ଟାର୍ଟ-ଅପ୍‌ ସବୁ ଏବେ ଏକପ୍ରକାର ବନ୍ଦ ହେବାକୁ ଯାଉଛି। ଖବର, ପ୍ରକାଶନ, ପ୍ରଦୂଷଣ, କିଣାବିକା, ଖୋଜାଖୋଜି, ଯାତ୍ରା, ବିଭିନ୍ନ ଘରୋଇ ସେବା ପ୍ରଦାନ, ସୃଜନଶୀଳନ ମାଧ୍ୟମ, ସାମଗ୍ରୀ ଉତ୍ପାଦନ, ଆପ୍‌ସ ଆଦି ସମ୍ପର୍କିତ ଷ୍ଟାର୍ଟ-ଅପ୍‌ ସବୁ ଅଧିକ ପ୍ରଭାବିତ ହେବେ।

ଋଣ: ଋଣ ପ୍ରଦାନକାରୀ ଶିଳ୍ପ ମଧ୍ୟ ଅର୍ଥନୈତିକ ମାନ୍ଦାବସ୍ଥାର ଶିକାର ହେବାକୁ ଯାଉଛି। ଅଭାବରେ ପଡ଼ି ଲୋକେ ହୁଏତ ଏହି ସମୟରେ ନୂଆ ଋଣ ନେବାକୁ ଆସିପାରନ୍ତି। ବିଶେଷକରି ସ୍ବର୍ଣ୍ଣ ଋଣ ପ୍ରଦାନ ବଢ଼ିପାରେ। କିନ୍ତୁ ଋଣ ପରିଶୋଧ କମିବ। ରୋଜଗାର ଅଭାବ, ଘରୁ ନ ବାହାରିବାର ବାହାନା, ସାମାଜିକ ଅର୍ଥଦାଣନେଣ ବନ୍ଦ ଯୋଗୁଁ ବହୁ ଋଣଗ୍ରସ୍ତ ଲୋକ ଋଣଖିଲାପକାରୀ ହେବେ।

ନିର୍ମାଣ ଶିଳ୍ପ, ଜମି ବ୍ୟବସାୟ: ସବୁ ପ୍ରକାର ନିର୍ମାଣ ଓ ମରାମତି କାମ ବନ୍ଦ ହୋଇଯାଇଥିବା ବେଳେ ନିର୍ମାଣ ସଂସ୍ଥା, ଜମିବାଡ଼ି ବ୍ୟବସାୟ, ଆର୍କିଟେକ୍ଟ ସଂସ୍ଥା, ଠିକାଦାର ଓ ଏହା ସହ ଜଡ଼ିତ ଶିଳ୍ପ ବେଶ୍‌ ପ୍ରଭାବିତ ହେବେ।

ସୌଖୀନ ଶିଳ୍ପ: ପଥର କାରିଗର, ନୃତ୍ୟ, ସଂଗୀତ, କାରୁକଳା ଆଦି ସହ ଜଡ଼ିତ ବିଭିନ୍ନ ସୃଜନ କଳାକାର, ହସ୍ତତନ୍ତ, ହସ୍ତଶିଳ୍ପ ଆଦି କ୍ଷେତ୍ର ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ଭଳି ଅବସ୍ଥାକୁ ଆସିବ। ସଭାସମିତି, ଉତ୍ସବ ବନ୍ଦ ଥିବାରୁ କଳାକାରମାନେ କାମ ପାଇବେ ନାହିଁ। ଆର୍ଥିକ ସଂକଟ ସମୟରେ ଜନତା ଜରୁରୀ ସାମଗ୍ରୀକୁ ଛାଡ଼ି କୌଣସି ସୌଖୀନ କଳାରେ ଆଗ୍ରହ ଦେଖାଇବେ ନାହିଁ।

ହାଟ: ହାଟରେ ବ୍ୟବସାୟ କରୁଥିବା ବ୍ୟକ୍ତି, ବୁଲା ବିକାଳି, ବସ୍‌ଷ୍ଟାଣ୍ଡ୍, ଛକ ଓ ବଜାର ଆଦିରେ ଥିବା ଉଠାଦୋକାନ ଆଦି ମଧ୍ୟ ପ୍ରଭାବିତ ହେବେ।

ଠିକା ଶ୍ରମିକ ଓ ଠିକା କର୍ମଚାରୀ: ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଠିକା କର୍ମଚାରୀମାନେ (କେବଳ ଜରୁରୀ ସେବା ଶିଳ୍ପକୁ ଛାଡ଼ି) କାମ ହରାଇବେ। ସେହିଭଳି ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଯଥା ନିର୍ମାଣ ଶ୍ରମିତ, ଦିନ ମଜୁରଆ, ପଥର କଟାଳି, କାଠୁରିଆ, ବଢ଼େଇ, କମାର, ଲଣ୍ଡ୍ରୀ କର୍ମୀ ଆଦି ନିଜର ରୋଜଗାର ହରାଇବେ।

ସରକାରଙ୍କ ଅନୁରୋଧ ଏହି ସବୁ ଶିଳ୍ପ, ଗରୀବ ଓ ଗୃହହୀନ ଜନତାଙ୍କ ପାଇ ଟିକେ ଚିନ୍ତାକରିବେ। ସାଧାରଣ ଜନତା, ଯେଉଁମାନଙ୍କ ସ୍ଥିତି ସ୍ବଚ୍ଛଳ, ସେମାନା ପାଖ ପଡ଼ୋଶୀରେ ଥିବା ଗରୀବ ଓ ଖାଦ୍ୟହୀନ ବ୍ୟକ୍ତିଙ୍କୁ ଖାଦ୍ୟ ଦେଇ ସହଯୋଗ କରିପାରିବେ। ଏଭଳି ସମୟରେ ବୁଲା ପଶୁ ଓ ପକ୍ଷୀ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ବଳକା ଖାଦ୍ୟ ମଇଳା କୁଣ୍ଡରେ ନ ଫୋପାଡ଼ି ଘର ପାଖରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିଲେ ବୁଲା ଜନ୍ତୁ ଉପକୃତ ହେବେ।

Comments are closed.