Odisha Link
Bridging the Missing Links in Odisha

ମୋ ଜୀବନ କାର୍ଯ୍ୟକ୍ରମ: ବାପାଙ୍କ ନାମରେ ଶପଥ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ଭୂତାଣୁ ସାରା ବିଶ୍ବକୁ କବଳିତ କରିଥିବା ବେଳେ ଏଯାଏଁ ଏହାର ନିରାକରଣ ପାଇଁ କୌଣସି ଔଷଧ ବାହାରିନାହିଁ। ସଚେତନତା ହିଁ ଏହି ଭୂତାଣୁ ଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ। ଓଡ଼ିଶାର ସବୁ ଅଞ୍ଚଳରେ ଆଜି ଠାରୁ ଲକ୍‌ଡାଉନ୍‌ ଲାଗୁ ହୋଇଥିଲେ ହେଁ ଅନେକ ସ୍ଥାନରେ ଜନସଚେତନତାର ଅଭାବ ହେତୁ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ୍ରେ ‘ମୋ ଜୀବନ’ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟବାସୀ କିଭଳି ନିଜ ଜୀବନକୁ ସୁରକ୍ଷିତ ରଖିପାରିବେ ତାହା ହିଁ ଏହି ‘ମୋ ଜୀବନ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଘୋଷଣା କରିବା ସହ ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ନିଜ ବାପାଙ୍କ ନାମରେ ଶପଥ ଗ୍ରହଣ କରିଛନ୍ତି।

‘ମୋ ଜୀବନ’ ଶପଥ ପତ୍ର

ମୁଁ ମୋର ପିଲାଛୁଆ, ବାପା, ମା’ଙ୍କ ନାମରେ ଶପଥ କରି କହୁଅଛି ଯେ, ବର୍ତ୍ତମାନ ସମୟରେ ମୁଁ ବାହାରକୁ ଯିବି ନାହିଁ। ବାହାରକୁ ଗଲେ, କରୋନା ଭାଇରସ୍‌ ମୋ ସାଥିରେ ମୋ ଘରକୁ ଆସିପାରେ। ମୋ ପରିବାରର କ୍ଷତି କରିପାରେ। ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ। ଯଦି ଜରୁରୀ କାମରେ ବାହାରକୁ ଯିବି, ତେବେ ଫେରିବା ସମୟରେ ସାବୁନରେ ଭଲ ଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି। କରୋନା ଭାଇରସ୍‌କୁ କେବେ ବି ମୋ ଘରେ ପଶିବାକୁ ଦେବି ନାହିଁ, କି ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ।

ରାଜ୍ୟବାସୀ ଏହି ଶପଥ କରିବା ସହ ଏହାକୁ କଡ଼ାକଡ଼ି ଭାବେ ଏହାକୁ ଅନୁପାଳନ କରିବା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି,

ଗତ କୋଡ଼ିଏ ବର୍ଷର ସେବା ମଧ୍ୟରେ ମୁଁ ମୋର ପ୍ରିୟ ଓଡିଶାବାସୀଙ୍କ ନିକଟରେ ଅନେକ ଅନୁରୋଧ ରଖିଛି। ଆପଣମାନେ ମୋ ର ସବୁ ଅନୁରୋଧକୁ ପାଳନ କରିଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ।

ଆଜି ସେ ଯେଉଁ ଅନୁରୋଧ ରଖିଛନ୍ତି, ତାହା ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.