Odisha Link
Bridging the Missing Links in Odisha

କରୋନା କବଚ: କେନ୍ଦ୍ର ସରକାରଙ୍କ ଏହି ଆପ୍‌ ଆପଣଙ୍କୁ ସଂକ୍ରମଣର ସୂଚନା ଦେବ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଦକ୍ଷିଣ କୋରିଆ ପରେ ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଭାରତ କରୋନା ସଂକ୍ରମଣ ଟ୍ରାକ୍‌ କରିବା ପାଇଁ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରିଛି। ‘କରୋନା କବଚ’ ନାମକ ଏହି ଆପ୍‌ ବ୍ୟବହାର କରି ଆପଣ କରୋନା ଆକ୍ରାନ୍ତଙ୍କ ପାଖ ମାଡ଼ୁଛନ୍ତି କି ନା ଜାଣିପାରିବେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ତଥା ସ୍ବାସ୍ଥ୍ୟ ମନ୍ତ୍ରାଳୟର ମିଳିତ ଉଦ୍ୟମରେ ଏହି ଆପ୍‌ ପ୍ରସ୍ତୁତ ହୋଇଛି। ବ୍ରିଟେନ୍‌ ସରକାର ମଧ୍ୟ ଏକ ସମାନ ଧରଣର କରୋନା କଣ୍ଟାକ୍ଟ ଟ୍ରେସିଂ ଆପ୍‌ ଜାରି କରିଛନ୍ତି।

ପ୍ରତି ଏକ ଘଣ୍ଟାରେ ଏହି ଆପ୍‌ ବ୍ୟବହାରକାରୀଙ୍କର ଡାଟା ଟ୍ରାକ୍‌ କରିବ ଓ ସେହି ଅନୁସାରେ ସେ କରୋନା ଆକ୍ରାନ୍ତଙ୍କ ନିକଟତର ହୋଇଛନ୍ତି କି ନାହିଁ ଜଣାଇବ। କେନ୍ଦ୍ର ସରକାର ଦେଶରେ ୨୦ରୁ ଅଧିକ କରୋନା ହଟ୍‌ ସ୍ପଟ୍‌ ଚିହ୍ନଟ କରିଥିବା ବେଳେ ଆଉ ୨୨ଟି ସନ୍ଦିଗ୍ଧ ସ୍ଥାନ ମଧ୍ୟ ଚିହ୍ନଟ ହୋଇଛି। ଏହା ବ୍ୟତୀତ କରୋନା ଆକ୍ରାନ୍ତଙ୍କ ସ୍ଥାନ, ଚଳପ୍ରଚଳ ଅଞ୍ଚଳକୁ ମଧ୍ୟ ଏହି ଆପ୍‌ରେ ସ୍ଥାନିତ କରାଯାଇଛି। ବ୍ୟବହାରକାରୀଙ୍କ ଲୋକେସନ୍‌କୁ ଜିପିଏସ୍‌ ମାଧ୍ୟମରେ ଠଉରେଇ ସେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ନିକଟତର ହେଉଥିଲେ ଆପ୍‌ ସତର୍କ କରାଇବ।

ସବୁଠୁ ବଡ଼କଥା ହେଉଛି, ଏହି ଆପ୍‌ର ସୁରକ୍ଷା ବ୍ୟବସ୍ଥା ବେଶ୍‌ ଉତ୍ତମ। ବ୍ୟବହାରକାରୀଙ୍କ ପରିଚୟ ଏଥିରେ ଉହ୍ୟ ରହିବ, ଏପରିକି ସରକାର ମଧ୍ୟ ଆପଣଙ୍କ ବାବଦରେ କୌଣସି ତଥ୍ୟ ପାଇବେ ନାହିଁ। ଏହା କେବଳ ଆପଣଙ୍କୁ ସତର୍କ କରାଇବା ସହ ଆପଣଙ୍କ ଆକ୍ରାନ୍ତ ହେବାର ସମ୍ଭାବନାକୁ କମ କରିବା ପାଇଁ ପ୍ରସ୍ତୁତ ହୋଇଛି।

ଗୁଗୁଲ୍‌ ବା ଆପଲ୍‌ ପ୍ଲେଷ୍ଟୋର୍‌ରୁ ଆପଣ ଏହି ଆପ୍‌ ଡାଉନ୍‌ଲୋଡ୍‌ କରିପାରିବେ।

Comments are closed.