Odisha Link
Bridging the Missing Links in Odisha

ଲାଇଫ୍‌‌ଲାଇନ୍‌ ଉଡ଼ାଣ: ଜରୁରୀ ସ୍ବାସ୍ଥ୍ୟସେବାରେ ୧୧୬ ବିମାନ

ନୂଆଦିଲ୍ଲୀ: ଦେଶରେ ଯାତ୍ରୀବାହୀ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କେବଳ ‘ଲାଇଫ୍‌ଲାଇନ୍‌ ଉଡ଼ାଣ’ ବିମାନ ଚାଲୁଛି। ଏହି ଯୋଜନାରେ ବିଭିନ୍ନ ଏୟାରଲାଇନ୍ସର ୧୧୬ଟି ବିମାନକୁ ଦେଶର ଦୂରାନ୍ତ ସ୍ଥାନରେ ଜରୁରୀ ସ୍ବାସ୍ଥ୍ୟ ଉପକରଣ ପହଞ୍ଚାଇବାରେ ନିୟୋଜିତ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ ଚୀନ୍-ଭାରତ ଏୟାର୍‌ ବ୍ରିଜ୍‌ ମାଧ୍ୟମରେ ମଧ୍ୟ ଜରୁରୀ ସ୍ବାସ୍ଥ୍ୟ ଉପକରଣ ଆମଦାନୀ କରାଯାଉଛି।

ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର୍‌ର ୭୯ଟି ବିମାନ ‘ଲାଇଫ୍‌ଲାଇନ୍‌ ଉଡ଼ାଣ’ରେ ନିୟୋଜିତ ହୋଇଥିବା ବେଳେ ଭାରତୀୟ ବାୟୁସେନା, ପବନ ହଂସ ଓ ଅନ୍ୟ କିଛି ଘରୋଇ ବିମାନସେବା ପକ୍ଷରୁ ବାକି ୩୭ଟି ବିମାନ ନିୟୋଜିତ ହୋଇଛି। କରୋନା ମୁକାବିଲା ସେବାରେ ଏହି ସବୁ ବିମାନ ଏଯାବତ୍‌ ୧,୧୨,୧୭୮ କିଲୋମିଟର ଉଡ଼ାଣ କରିଥିବା ବେଳେ ୧୬୧ ଟନ୍‌ ଜରୁରୀ ସ୍ବାସ୍ଥ୍ୟ ସାମଗ୍ରୀ ପରିବହନ କରିଛନ୍ତି।

ଅନ୍ୟ ପଟେ ଏୟାର ଇଣ୍ଡିଆ ମାଧ୍ୟମରେ ଭାରତ ଓ ଚୀନ ମଧ୍ୟରେ ଏକ ନିରନ୍ତର ,ୟାର-ବ୍ରିଜ୍‌ ସ୍ଥାପନା କରାଯାଇଛି। ଜରୁରୀ ସ୍ବାସ୍ଥ୍ୟ ସାମଗ୍ରୀ ଆମଦାନୀରେ ଏହା ବ୍ୟବହୃତ ହେଉଛି। ଗତକାଲି (୪ ଏପ୍ରିଲ)ରେ ଚୀନରୁ ଏୟାର ଇଣ୍ଡିଆ ପ୍ରଥମ କାର୍ଗୋ ବିମାନ ମାଧ୍ୟମରେ ୨୧ ଟନ୍‌ ଜରୁରୀ ସ୍ବାସ୍ଥ୍ୟ ସାମଗ୍ରୀ ଅଣାଯାଇଛି।

Comments are closed.