Odisha Link
Bridging the Missing Links in Odisha

କରୋନା ମୁକାବିଲା: ସହାୟତାର ହାତ ବଢ଼ାଇଲେ ଚାଷୀ ପରିବାର, ଗରିବଙ୍କୁ ପନିପରିବା ଓ ପୋଲିସ୍‌ଙ୍କୁ ବାଣ୍ଟିଲେ କ୍ଷୀର

ବାଲେଶ୍ୱର: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ। ଭାରତରେ କରୋନାର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ସମୟରେ ଲୋକଙ୍କୁ ବାହାରକୁ ବାହାରିବାକୁ ପାଇଁ ମନା କରାଯାଇଛି। ସେପଟେ ଘର ଚଳାଇବା ପାଇଁ ଗରିବ ଓ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିଲେଣି। ଆଉ ଏଭଳି ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ପାଇଁ ବିପଦର ବନ୍ଧୁ ସାଜିଛନ୍ତି ଏକ ସାଧାରଣ ଚାଷୀ ପରିବାର। ଭଦ୍ରକ ଜିଲ୍ଲା ବାସୁଦେବପୁର ଲୁଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁରୁଦା ଗ୍ରାମର ଚାଷୀ ସର୍ବେଶ୍ବର ସାହୁଙ୍କ ପରିବାର ନିଜ ଘରବାଡ଼ିରୁ ଅମଳ କରିଥିବା ପନିପରିବା ସହରାଞ୍ଚଳ‌ର ଗରିବଲୋକଙ୍କୁ ଦାନ କରି ଅନନ୍ୟ ଉଦାହରଣ ପାଲଟିଛନ୍ତି।

ଗତକାଲି ସକାଳେ ଚାଷୀ ଦମ୍ପତି ସର୍ବେଶ୍ୱର ଏବଂ ଛାୟା ତାଙ୍କ ପୁଅ ସନ୍ତୋଷ ଓ ମାନସଙ୍କୁ ଘରବାଡ଼ିରେ ହୋଇଥିବା ପନିପରିବା କ୍ଷେତରୁ ପ୍ରାୟ ୫ରୁ ୬ କ୍ୟୁଣ୍ଟାଲ ବାଇଗଣ, ଜହ୍ନି, ଟମାଟୋ, କାକୁଡ଼ି, କଲରା, ବୋଇତାଳୁ ଆଦି ତୋଳିଥିଲେ। ସେଗୁଡ଼ିକୁ ଏକ ଡାଲାଅଟୋରେ ଭର୍ତ୍ତି କରି ଘରଠାରୁ ପ୍ରାୟ ୧୦ କିମି ଦୂର ବାସୁଦେବପୁର ବଜାରକୁ ଯାଇଥିଲେ। ସେଠାରେ କିଛି ସାମାଜିକ କର୍ମୀଙ୍କ ସହଯୋଗରେ ଭୈରବପୁର, ବଂଶୀପାଟଣା ଓ ଉଚ୍ଚଡିହା ଅଞ୍ଚଳରେ ରହୁଥିବା ଗରିବ ଓ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିଥିଲେ। ଶ୍ରୀ ସାହୁ ଓ ତାଙ୍କ ପରିବାର ପ୍ରତି ପରିବାରକୁ ୨ରୁ ୩ କିଲୋ ଲେଖାଏଁ ପନିପରିବା ଯୋଗାଇ ଦେଇଥିଲେ।

ପନିପରିବା ବାଣ୍ଟିସାରିବା ପରେ ସାଙ୍ଗରେ ଆଣିଥିବା ପ୍ରାୟ ୨୦ ଲିଟର କ୍ଷୀର ସ୍ଥାନୀୟ ଥାନାରେ ଦେଇଥିଲେ। କରୋନା ଯୁଦ୍ଧରେ ଯେଉଁ ପୁଲିସ ଓ ସୁରକ୍ଷାକର୍ମୀମାନେ ଦିନରାତି ଅନିଦ୍ରା ହୋଇ ଅହରହ ଆମ ପାଇଁ ରାସ୍ତା ଉପରେ ଖୋଲା ଆକାଶ ତଳେ ପଡ଼ିରହିଛନ୍ତି ଏହି କ୍ଷୀର ସେମାନଙ୍କୁ ଦେଇ ନିଜକୁ ଧନ୍ୟ ମଣିଥିବା ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବିପଦ ସମୟରେ ସାଧାରଣ ଚାଷୀ ପରିବାରର ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Comments are closed.