Odisha Link
Bridging the Missing Links in Odisha

ସିଲ୍‌ ହେଲା ଭୁବନେଶ୍ବରର ସୁନ୍ଦରପଦା, ବେଗୁନିଆ ଓ ଯଦୁପୁର ଅଞ୍ଚଳ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରେ ପୁଣି ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସୁନ୍ଦରପଦା ଓ ୬୪ ୱାର୍ଡ଼ ନମ୍ୱର ଯଦୁପୁର ଓ ବେଗୁନିଆର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ଫଳରେ ଏହି ଅଞ୍ଚଳର ଲୋକେ ଘରୁ ବାହାରକୁ ବାହାରି ପାରିବେ ନାହିଁ। ରାଜଧାନୀର ଅନ୍ୟ ଅଞ୍ଚଳର ଲୋକେ ମଧ୍ୟ ଏହି ଅଞ୍ଚଳକୁ ପ୍ରବେଶ କରିପାରିବେ ନାହିଁ ବୋଲି ବିଏମସି ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ସୁନ୍ଦରପଦା, ଯଦୁପୁର ଓ ବେଗୁନିଆକୁ ବିଏମସି ଅବରୋଧ ଅଞ୍ଚଳ ଘୋଷଣା କରିଛି।

୬୭ ନମ୍ବର ୱାର୍ଡ (ସୁନ୍ଦରପଦା)ର ଏବାରଙ୍ଗ ଓ କପିଳପ୍ରସାଦକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି। ସେହିପରି ସୁନ୍ଦରପଦା ପୌରପାଳିକା ହସ୍ପିଟାଲ ଠାରୁ କାଲୁଆଶୁଣୀ ମନ୍ଦିର, ସୁନ୍ଦରପଦା ପୌରପାଳିକା ହସ୍ପିଟାଲ ଛକ ଠାରୁ ସରକନ୍ତରା ନୂଆ କଲର୍ଭଟ ପର୍ଯ୍ୟନ୍ତ, କାଳୁଆଶୁଣୀ ମନ୍ଦିର ଠାରୁ ଟାଟା ପ୍ରକଳ୍ପ ପର୍ଯ୍ୟନ୍ତ, ଟାଟା ପ୍ରକଳ୍ପ ଠାରୁ ସରକନ୍ତରା ନୂଆ କଲର୍ଭଟ ପର୍ଯ୍ୟନ୍ତ ଓ ଟାଟା ପ୍ରକଳ୍ପ ଠାରୁ ସରକନ୍ତରା କଲଭର୍ଟ ପର୍ଯ୍ୟନ୍ତ ବନ୍ଦ ରହିବ। ଏସବୁ ଅଂଚଳଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ବେଗୁନିଆର ପାଲାମଣ୍ଡପ ଛକଠାରୁ ଯଦୁପୁର ପର୍ଯ୍ୟନ୍ତ, ପାଣିଟାଙ୍କି ଠାରୁ ଯଦୁପୁର ଗାଁ, ମୁଖ୍ୟ ରୋଡ ଅଟୋ ଷ୍ଟାଣ୍ଡ ଠାରୁ ଯଦୁପୁର ଗାଁ ଓ ଆମ୍ବେଦକର ଶିକ୍ଷା କେନ୍ଦ୍ର ଠାରୁ ଯଦୁପୁର ଗାଁ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି। ଏକ ବିଜ୍ଞପ୍ତି ଜରିଆରେ ବିଏମସି କହିଛି, ଏହି ନିଷିଦ୍ଧାଂଚଳରେ କେହି ଯିବାଆସିବା କରିପାରିବେ ନାହିଁ। ଏହି ସମସ୍ତରେ ସମସ୍ତେ ଘରେ ରହିବେ। ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଆଦି ପ୍ରଶାସନ ଯୋଗାଇବେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସଂସ୍ଥାଗୁଡ଼ିକ ବନ୍ଦ ରହିବ। ବିଏମସି ଏହି ଅଂଚଳରେ ୪ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି।

ସୁନ୍ଦରପଦା ଅଞ୍ଚଳ ପାଇଁ ସାନିଟେସନ ପାଇଁ ଡ. ଦେବୀକାରାଣୀ ଧାମିଲ (ମୋବାଇଲ, ୯୪୩୭୦୨୮୯୪୫), ଯୋଗାଣ ପାଇଁ କମଲଜୀତ ଦାସ (ମୋବାଇଲ, ୯୪୩୯୪୩୧୬୭୨), ସ୍ୱାସ୍ଥ୍ୟ ପାଇଁ ଡ. ବିଜୟଲକ୍ଷ୍ମୀ ପଣ୍ଡା (ମୋବାଇଲ, ୯୩୩୭୩୯୭୧୩୪) ଓ ଆକ୍ଟିଭ ସରଭେଲାଇନ୍ସ ପାଇଁ ଡ. ଶୁଭମ ପୁହାଣ (୭୯୭୮୨୦୦୦୫୯) ନିଯୁକ୍ତ ହୋଇଛନ୍ତି। ସେହିପରି ଯଦୁପୁର ଓ ବେଗୁନିଆ ପାଇଁ ସାନିଟେସନ ପାଇଁ ଡ. ଦେବୀକାରାଣୀ ଧାମିଲ (ମୋବାଇଲ, ୯୪୩୭୦୨୮୯୪୫), ଯୋଗାଣ ପାଇଁ କମଲଜୀତ ଦାସ (ମୋବାଇଲ, ୯୪୩୯୪୩୧୬୭୨), ସ୍ୱାସ୍ଥ୍ୟ ପାଇଁ ଡ. ମଧୁସ୍ମିତା ପ୍ରହରାଜ (ମୋବାଇଲ, ୮୩୨୮୯୨୦୧୨୮) ଓ ଆକ୍ଟିଭ ସରଭାଇଲେନ୍ସ ପାଇଁ ଡ. ଦେବଜୀତ ପରିଡା (ମୋବାଇଲ ୭୦୭୭୩୨୪୭୪୫)ଙ୍କୁ ଦାୟିତ୍ୱ ଦିଆଯାଇଛି ।

Comments are closed.