Odisha Link
Bridging the Missing Links in Odisha

ଆଗାମୀ ଦିନରେ ଓଡ଼ିଶାରେ ଦିନକୁ ୧ ହଜାର କରୋନା ନମୁନା ପରୀକ୍ଷା କରାଯିବ: ସୁବ୍ରତ ବାଗଚୀ

ଭୁବନେଶ୍ବର: ପ୍ରତିଦିନ ଭଳି ଆଜି ଅପରାହ୍ନରେ କରୋନା ଭାଇରସ୍‌ ସମ୍ପକ୍ରିତ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ବିଭିନ୍ନ ସହରରେ ୭ଟି କୋଭିଡ ୧୯ ହସ୍ପିଟାଲ ସ୍ଥାପନ ହେଉଛି। ଏଥି ମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହୋଇ ସାରିଥିବା କହିଛନ୍ତି ବାଗଚୀ।

ରାଜ୍ୟରେ ତୃତୀୟ ସରକାରୀ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟାରମ୍ଭ ଆଜିଠୁ ହୋଇଛି। ଏମସିଏଲ ସହଯୋଗରେ ସୋଆ କ୍ୟମ୍ପସରେ ନିର୍ମିତ ୫ ଶହ ଶଯ୍ୟାଏବଂ ୨୫ ଆଇସିୟୁ ବିଶିଷ୍ଟ ଶଯ୍ୟା ରହିଥିବା ଏହି ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକର୍ପଣ କରିଛନ୍ତି। ଏଥିସହିତ ହସ୍ପିଟାଲର ଡାକ୍ତର ଏବଂ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କ ସହ ମତ ବିନିମୟ ପୂର୍ବକ କୋଭିଡ୧୯ ମହାମାରୀ ସମୟରେ ଲୋକଙ୍କ ସେବା ନିମନ୍ତେ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ବର୍ତ୍ତମାନ ରାଜ୍ୟର ୩ଟି ସ୍ଥାନ ଏମ୍ସ, ଆରଏମଆରସି ଓ କଟକ ବଡ଼ ମେଡିକାଲରେ ଦୈନିକ ପ୍ରାୟ ୩୦୦ଟି କୋଭିଡ-୧୯ ନମୁନା ପରୀକ୍ଷା କରାଯାଉଛି। ଆଗାମୀ ୫ଦିନ ମଧ୍ୟରେ ଏହାକୁ ୧ ହଜାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଖୁବ୍ ଶୀଘ୍ର ଭିମସାର ବୁର୍ଲା, ଏମକେସିଜି ବ୍ରହ୍ମପୁରରେ କୋଭିଡ୧୯ ପରୀକ୍ଷଣର ସୁବିଧା ଉପଲବ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଚଗୀ।

ଏହାବ୍ୟତୀତ ରାଜ୍ୟରେ ବର୍ତ୍ତମାନ ୧୪୫୭ ଶଯ୍ୟା ବିଶିଷ୍ଟ ୭ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଥିବା ସୂଚନା ଦେଇଛନ୍ତି ବାଗଚୀ। ତେବେ କଟକରେ ଅଶ୍ୱିନୀ ହସ୍ପିଟାଲ, ଯାଜପୁରର ଡୁବୁରୀଠାରେ ଟାଟା ହସ୍ପିଟାଲ, କେନ୍ଦୁଝରର ଯୋଡାଠାରେ ଟାଟା ହସ୍ପିଟାଲ, ଖୋର୍ଧାରେ କିମ୍ସ, ଭୁବନେଶ୍ୱରରେ ସମ୍ , ପୁରୀର ଆଇଡି ହସ୍ପିଟାଲ ଏବଂ ସୁନ୍ଦରଗଡ ଜିଲ୍ଲାର ରାଉରକେଲାଠାରେ ହାଇଟେକ୍ ମେଡିକାଲ କଲେଜରେ କୋଭିଡ-୧୯ର ଏହି ସୁବିଧା ଉପଲବ୍ଧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖ୍ୟପାତ୍ର ସୁବ୍ରତ ବାଗଚୀ।

ଲକ୍‌ଡାଉନ୍ ପିରିୟଡ଼ରେ ହୋଲସେଲ ମାର୍କେଟକୁ ଯାଇପାରିବେନି ସାଧାରଣ ଲୋକେ। ସଉଦା ପାଇଁ ବଜାରକୁ ଗଲେ ବାଇକ୍ ଓ କାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯଦି କେହି ବ୍ୟକ୍ତି ଗ୍ରୋସରି କିମ୍ବା ପରିବା କିଣିବାକୁ ଯାଆନ୍ତି, ସେମାନେ ଘର ପାଖ ବଜାରକୁ ଚାଲି କରି କିମ୍ବା ସାଇକେଲରେ ଯିବାକୁ ନିବେଦନ କରିଛନ୍ତି ସରକାର। କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଆଜି ଏହି ସୂଚନା ଦେଇଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ ଘରୁ ବାହାରିବା ସଂପୂର୍ଣ୍ଣ ମନା କରାଯାଇଛି।

Comments are closed.