Odisha Link
Bridging the Missing Links in Odisha

ରାଜ୍ୟରେ କରୋନା ଭାଇରସର ଶୃଙ୍ଖଳାକୁ ଭାଙ୍ଗିବାରେ ସହାୟକ ହେବ ସମ୍ କୋଭିଡ୍-୧୯ ହସ୍ପିଟାଲ୍: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସି ଯୋଗେ ଭୁବନେଶ୍ୱରସମରେ ଆୟୋଜିତ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବର୍ତ୍ତମାନ ପରିସ୍ଥିତିରେ ଏହି ହସ୍ପିଟାଲ ରାଜ୍ୟରେ କରୋନା ଭାଇରସ ବିରୋଧରେ ଲଢି ଏହାର ଶୃଙ୍ଖଳାକୁ ଭାଙ୍ଗିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ରେକର୍ଡ ସଂଖ୍ୟକ ସମୟରେ କୋଭିଡ୍-୧୯ ହସ୍ପିଟାଲର ପରିଚାଳନା ଏବଂ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ ସୁବିଧା ଉପଲବ୍ଧ କରେଇବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,କୋଲ୍ ଇଣ୍ଡିଆ ଏବଂ ସମ୍ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୫୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ମାଗଣାରେ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ କରିବା ସହ ମାଗଣାରେ ରହିବା ଓ ଖାଇବା ମଧ୍ୟ ଯୋଗାଇବ । କରୋନା ବିରୋଧୀ ଲଢ଼େଇରେ ଓଡ଼ିଶା ପ୍ରଶାସନର ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଏହି ମହାମାରୀକୁ ସାମ୍ନା କରିବା ତଥା ଲଢିବାରେ ଓଡ଼ିଶା ନେତୃତ୍ୱ ନେଉଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଏହି ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସମୟରେ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏକାଠୀ ହୋଇ ଆମେ ଶତ୍ରୁ ବିପକ୍ଷରେ ଏହି ଯୁଦ୍ଧ ଜିତିପାରିବା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଜାତି କଳିଙ୍ଗ ଯୁଦ୍ଧ ଓ ନଅଙ୍କ ଦୁର୍ଭିକ୍ଷ ଭଳି ଚ୍ୟାଲେଞ୍ଜକୁ ସାମ୍ନା କରିଛି । ସେହିଭଳି ବିଶ୍ୱ ମାନବଜାତିକୁ ଦୋହଲାଇ ଦେଇଥିବା କୋରନା ମହାମାରୀକୁ ମଧ୍ୟ ସମସ୍ତଙ୍କ ସହଯୋଗରେ ସାମ୍ନା କରିବା ସମସ୍ତଙ୍କ ଦାୟିତ୍ୱ । ତେଣୁ ଦଳ, ମତ ନିର୍ବିଶେଷରେ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ତଥା ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା, ସାମାଜିକ ଦୂରତାକୁ ଅବଲମ୍ବନ କରିବା ସହ ଘରେ ରହିବା ପାଇଁ ଲୋକଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।ଏହି ସଂକଟ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।

Comments are closed.