କେନ୍ଦ୍ର ସରକାରଙ୍କ ନିଷ୍ପତି କରୋନା ଲଢ଼େଇରେ ବଡ଼ ପ୍ରଭାବ ପକାଇବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସାଂସଦମାନେ ବର୍ଷକ ପାଇଁ ୩୦ ପ୍ରତିଶତ କମ୍ ଦରମା ପାଇବା ଏବଂ ଆଗାମୀ ୨ ବର୍ଷ ପାଇଁ ସାଂସଦ ପାଣ୍ଠି ସ୍ଥଗିତ ରଖାଯିବା ନିଷ୍ପତିକୁ ସମର୍ଥନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନିଷ୍ପତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ଦୁଇଟି ନିଷ୍ପତି ଭାରତର କରୋନା ଭାଇରସ ବିରୁଦ୍ଧରେ ଲଢ଼ିବା ପାଇଁ ବଡ ପ୍ରଭାବ ପକାଇବ। ଏହାସହ ମହାମାରୀ ପାଇଁ ଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ସାମ୍ନା କରିବାରେ ଆମର ପ୍ରସ୍ତୁତିକୁ ମଜବୁତ୍ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ୨୦୨୧-୨୧ ଓ ୨୦୨୧-୨୨ ବର୍ଷ ପାଇଁ ଏମପିଲାଡ୍ ପାଣ୍ଠିକୁ ସ୍ଥଗିତ ରଖାଯାଇ ଏହି ପାଣ୍ଠିକୁ ସମାଜ ତଥା ଦେଶରେ କରୋନାର ମୁକାବିଲା ପାଇଁ ବା ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଚ୍ୟାଲେଞ୍ଜ ଗୁଡିକୁ ସାମ୍ନା କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପାଇଁ ଉପଲବ୍ଧ କରେଇବା ନିଷ୍ପତି ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି।