Odisha Link
Bridging the Missing Links in Odisha

ବଦଳିଲା ଟ୍ରମ୍ପଙ୍କ ସ୍ବର, କହିଲେ ”ମୋଦି ମହାନ ଓ ଭଲ ନେତା”

ଓଏଲ୍‌ ବ୍ୟୁରୋ: ଜରୁରୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଅନ୍ୟତମ ବୃହତ ଉତ୍ପାଦକ ଭାରତ ୩ ଦିନ ତଳେ ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲା। ଶନିବାର ଠାରୁ ବିଦେଶକୁ ଏହାର ପ୍ରେରଣ ନିଷିଦ୍ଧ କରାଯାଇଥିଲା। ତେବେ ରବିବାର ଅମେରିକାର ଅନୁରୋଧ ପରେ ଭାରତ ନିଷିଦ୍ଧାଦେଶକୁ ଆଂଶିକ ଉଠାଇଛି। ଆମେରିକାକୁ ଭାରତ ଦେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ। ଭାରତ ସରକାର ଏ ନେଇ ଅନୁମତି ଦେଇଛନ୍ତି। ଭାରତର ଏହି ଘୋଷଣା ପରେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ସ୍ବର ବଦଳିଛି।

ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ଆମେରିକା ନ୍ୟୁଜ ଚ୍ୟାନେଲ ଫକ୍ସ ନ୍ୟୁଜକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ମାମଲାରେ ଆମର ସହଯୋଗ କରିଛନ୍ତି। ଭାରତ ସରକାର ଏ ନେଇ ଅନୁମତି ଦେଇଛନ୍ତି ବୋଲି କହିଛନ୍ତି ଟ୍ରମ୍ପ। ଏଥିସହିତ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଆଉ କହିଛନ୍ତି ଯେ, ‘ମୋଦି ମହାନ, ସେ ଜଣେ ଭଲ ନେତା।’

ଟ୍ରମ୍ପ ଆହୁରି କହିଛନ୍ତି ଯେ, ଆମେ ବିଦେଶରୁ ବହୁତ ଔଷଧ ମଗାଉଛୁ। ଏଥିରେ ମଧ୍ୟ ଭାରତରେ ପ୍ରସ୍ତୁତ ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ମଧ୍ୟ ସାମିଲ ଅଛି। ଏହି ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲି। କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଆମେରିକା ଭାରତରୁ ୨୯ ନିୟୁତ ଡୋଜ୍ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ କ୍ରୟ କରିଛି ବୋଲି ସୂଚନା ଦେଇଛନ୍ତି ଟ୍ରମ୍ପ୍।

ସୂଚନାଥାଉକି, କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ ଏଯାବତ ୧୨,୮୫୪ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଅନ୍ୟପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ରୋକିବା ପାଇଁ ଆମେରିକା ପ୍ରାଥମିକ ପଦକ୍ଷେପ ନେଉଛି। ଏଥିପାଇଁ ଆଣ୍ଟି ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଉପରେ ଗୁରୁତ୍ୱ ଦେଇଛି ଆମେରିକା। ଭାରତ ଯଦି ଏଭଳି ସ୍ଥିତିରେ ଏହି ଔଷଧ ନଦିଏ ତାହେଲେ ଆଗାମୀ ଦିନରେ ଭାରତ ମଧ୍ୟ ସମାନ ଆଶା ରଖିବା ଉଚିତ୍ ବୋଲି ଆମେରିକା ରାଷ୍ଟ୍ରପତି କହିଥିଲେ।

Comments are closed.