Odisha Link
Bridging the Missing Links in Odisha

ଲକ୍‌ଡାଉନ୍ ପରେ ପରେ

ଲକ୍ ଡାଉନ ପରେ ପରେ
ଆଶୁତୋଷ ଆଚାର୍ଯ୍ୟ

ଲକ୍‌ଡାଉନ୍ ପରେ
ହୁଏତ ଚଳଚଞ୍ଚଳ ହେଇପାରେ ସହର
ଆଉଥରେ ଦିଶିପାରେ ଧୂଆଁ ଧୂଆଁ ଆକାଶ
ଆବର୍ଜନା ଭର୍ତ୍ତି ଛକ, ଧୂଳି ଭର୍ତ୍ତି ରାସ୍ତା, ଲାଲ ନଈ,
ଗରଜୁଥିବା ଯନ୍ତ୍ର, ଫିକା ପତ୍ର
ଅବା ଵନ୍ଦ ହେଇଯାଇପାରେ, ରାଜନୈତିକ ଅନ୍ନଛତ୍ର ।।

ଲକ୍‌ଡାଉନ୍ ପରେ
ବଢ଼ିପାରେ କଳାବଜାରୀ
ଆଶା ବାନ୍ଧିପାରେ, ଢେର କ୍ଷତି ସହିଥିବା କୁକୁଡ଼ା ଦୋକାନୀ
ମେଳି ବାନ୍ଧିପାରେ ଗୁଜବ
ମଦ ଉପରେ ମିଳିପାରେ ରିହାତି
ବିରତି ନେଇପାରେ ଘରୋଇ ହିଂସା
ବଢ଼ିପାରେ ଉତ୍ପାତ, ଅବାଞ୍ଛିତ ଗର୍ଭପାତ
ବଢ଼ିଲା ଝିଅଙ୍କୁ, ଡରେଇ ଦେଇପାରେ ଧର୍ଷଣର ଡର
ହୁଏତ ବଦଳି ଯାଇପାରେ, ଦୈନନ୍ଦିନର ଖବର ।।

ଲକ୍‌ଡାଉନ୍ ପରେ
ସ୍ଥିର ହେଇପାରେ ପୃଥିବୀର ଗତି, ନିୟତି
ମଣିଷର ସ୍ଥିତି, ସଂସ୍କୃତି, ଦେଶ କେଇଟାର ପ୍ରଗତି
ଭଗବାନଙ୍କ ଭାଉ, ବାବାଙ୍କ ତାଉ
ଝୁଣ୍ଟି ଯାଇ ପାରେ ଜୀବନ, ଭାଙ୍ଗିଯାଇପାରେ ମନ
ନୀତିହିନ ହେଇପାରେ ନୈତିକତା
ହୁଏତ ପଶୁପକ୍ଷୀ ହରେଇ ପାରନ୍ତି, ପାଇଥିବା ସ୍ୱାଧୀନତା ।।

ଲକ୍‌ଡାଉନ୍ ପରେ
ହୁଏତ ଭୋକ ଆଣିପାରେ ନୂଆ ଏକ  ସମ୍ଭାବନା
ଗରିବ ମାନେ ହେଇପାରନ୍ତି ଇତିହାସ
ଟଙ୍କା ସବୁ ହେଇଯାଇପାରେ ମୂଲ୍ୟହୀନ
ବଢ଼ିପାରେ ସ୍ୱାର୍ଥ, ଅସୁୟ।, ଘୃଣା
ହେଇପାରେ ଆଉ ଏକ ଯୁଦ୍ଧ
ଅବା ଅବତାର ନେଇ ପାରନ୍ତି, କିଛି ମହାତ୍ମା, କିଛି ବୁଦ୍ଧ ।।

Comments are closed.