୫ ଶିଶୁଙ୍କୁ ଗଙ୍ଗାରେ ଫିଙ୍ଗିବା ଘଟଣା: ଦୁଇ ଶବ ଉଦ୍ଧାର, ସନ୍ଧାନ ଜାରି

ଲକ୍ଷ୍ନୌ: ଭଦୋହୀ ଜିଲ୍ଲାର ଜାହାଙ୍ଗୀରପୁରା ଠାରେ ଜଣେ ମା’ ଗତକାଲି ନିଜର ୫ ଶିଶୁଙ୍କୁ ଗଙ୍ଗା ନଦୀରେ ଫିଙ୍ଗିଦେବା ସହ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନଦୀରୁ ଦୁଇ ଜଣ ଶିଶୁଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଶିଶୁଙ୍କର ସନ୍ଧାନ ମିଳିନାହିଁ। ସନ୍ଧାନ ଜାରି ରହିଛି ବୋଲି ଜିଲ୍ଲାପାଳ ଜଣାଇଛନ୍ତି।
ନଦୀରେ ନିଖୋଜ ଥିବା ପିଲାମାନଙ୍କର ବୟସ ଯଥାକ୍ରମେ ୧୨, ୧୦, ୮, ୬ ଓ ୩ ବର୍ଷ। ଘରର ସଉଦା ଖର୍ଚ୍ଚ ସଂଗ୍ରହ ନେଇ ମହିଳାଙ୍କର ସକାଳେ ସ୍ବାମୀଙ୍କ ସାଙ୍ଗରେ ପାଟିତୁଣ୍ଡ ହୋଇଥିଲା। ମହିଳା ଜଣକ ସ୍ବାମୀ ମୁନାଙ୍କୁ ଟଙ୍କା ମାଗିଥିଲେ ବି ମୁନା ଦେବାରେ ଅସମର୍ଥ ହୋଇଥିଲେ। କିଛି ସମୟ ପରେ ମହିଳା ଜଣକ ୫ ପିଲାଙ୍କୁ ନେଇ ଘାଟ ପାଖକୁ ଯାଇଥିଲେ ଓ ସବୁ ପିଲାଙ୍କୁ ପାଣି ଭିତରକୁ ଠେଲି ଦେଇଥିଲେ। ପିଲାଙ୍କୁ ପାଣିକୁ ଠେଲିବା ପରେ ମହିଳା ଜଣକ ନିଜେ ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ନଦୀ ଭିତରେ ସେ ନିଜର ମନ ପରିବର୍ତ୍ତନ କରିବା ସହ କୂଳକୁ ଫେରି ଆସିଥିଲେ।
ପାଖ ଜମିରେ କାମ କରୁଥିବା ଲୋକମାନେ ତୁରନ୍ତ ନଦୀ ପାଖରେ ପହଞ୍ଚି ପିଲାମାନଙ୍କୁ ରକ୍ଷା କରିବାକୁ ଉଦ୍ରମ କରି ବିଫଳ ହୋଇଥିଲେ। ଖବର ପାଇ ଜିଲ୍ଲାପାଳ ଓ ଏସ୍ପି ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ତାଲିମପ୍ରାପ୍ତ ବୁଡ଼ାଳି ଖୋଜିବାରେ ଲାଗିଛନ୍ତି। ସ୍ବାମୀ ସହ ଗଣ୍ଡଗୋଳ ଯୋଗୁଁ ହିଁ ମହିଳା ଏଭଳି କଠୋର ପଦକ୍ଷେପ ନେଇଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ଜିଲ୍ଳାପାଳ।