Odisha Link
Bridging the Missing Links in Odisha

କରୋନା ଆକ୍ରାନ୍ତଙ୍କ ଧାର୍ମିକ ପରିଚୟ ଜରୁରୀ କାହିଁକି?

ଅତି ଲଜ୍ଜାଜନକ ଭାବରେ ଦିଲ୍ଲୀ ସରକାର ଓ ଭାରତ ସରକାର ଏହି ରୋଗ ଦ୍ଵାରା ଆକ୍ରାନ୍ତ ଲୋକଙ୍କର ଧାର୍ମିକ ପରିଚୟ ଦେବା ଆରମ୍ଭ କରିଦେଲେ।

ସକାଳୁ ସକାଳୁ ଗୋଟିଏ ପୋର୍ଟାଲରେ ଏହି ଲେଖା ଦେଖିବାକୁ ପାଇଲି। ଏହା ପଢ଼ି ମନକୁ ମୋର ଆସିଲା ‘ହାୟ, ଆମ୍‌ ଆଦ୍‌ମି ପାର୍ଟି ମାଲିକାନାରେ ବି ଏମିତି ଗୋଟିଏ ଖବର ପୋର୍ଟାଲ୍ ଥାନ୍ତା କି’। ମୋର ଲେଖିବା ଅର୍ଥ ଏଇଆ ଯେ ଏମିତି ଗୋଟିଏ ପୋର୍ଟାଲ୍ ଥାଆନ୍ତା ଯିଏ ବାହାରକୁ ନିରପେକ୍ଷ ଦେଖା ଯାଉଥାନ୍ତା କିନ୍ତୁ ଭିତରେ ପାର୍ଟିକୁ ସମର୍ଥନ କରୁଥାନ୍ତା। ମୋ ଜାଣିବାରେ ସେଭଳି ପୋର୍ଟାଲ ଅବଶ୍ୟ ନାହିଁ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଛି ଦିନ ଧରି କରୋନା ସମ୍ପର୍କରେ ପ୍ରେସ୍ ବାର୍ତ୍ତା ଦେବାବେଳେ ତବଲିଘି ଜମାତ୍ ସମ୍ପର୍କିତ କରୋନା ପଜିଟିଭ୍‌ମାନଙ୍କ ସଂଖ୍ୟା ପୄଥକ ଭାବେ ଦେଉଥିଲେ। ଏହା କିଛି ଲୋକଙ୍କୁ ପସନ୍ଦ ଆସିଲା ନାହିଁ। ଏହା ଦ୍ବାରା ମୁସଲିମ୍‌ମାନେ ନିନ୍ଦିତ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କଲେ। ଏ ବିଷୟରେ ସଂଖ୍ୟାଲଘୁ କମିଶନ୍ ଦିଲ୍ଲୀ ସରକାରକୁ ନୋଟିସ୍ ପଠାଇବା ପରେ ଦିଲ୍ଲୀ ସରକାର ଏବେ ଅଲଗା ସଂଖ୍ୟା ତ ଦେଉଛନ୍ତି, କିନ୍ତୁ ତବଲିଘି ଜମାତ୍ ନ କହି ତା’ ଜାଗାରେ ‘ସ୍ପେସିଆଲ୍ ଅପରେସନ୍’ ବୋଲି କହୁଛନ୍ତି।

ତେବେ ଯେଉଁ ନାଁରେ କୁହାଯାଉ ପଛେ, ଏହି ସଂଖ୍ୟାକୁ ଅଲଗା ଦେଖାଇବା ଜରୁରୀ। ଦେଶରେ ଏବେ କରୋନା ସଂକ୍ରମଣର ଏହା ଏକ ଜଣାଶୁଣା ସ୍ରୋତ। ଏଠାରୁ ଉଦ୍ଧାର ହୋଇଥିବା ୨,୩୦୦ରୁ ଅଧିକ ଲୋକଙ୍କୁ ନିୟମିତ ଯାଞ୍ଚ କରାଯାଉଛି। ଏ ସମସ୍ତେ ଦିଲ୍ଲୀବାସୀ ନୁହନ୍ତି। ଏମାନଙ୍କ ମଧ୍ୟରେ କିଛି ବିଦେଶୀ ଲୋକ ବି ଅଛନ୍ତି।

ସାରା ଦେଶରେ ଯେତେ ତବଲିଘି ଜମାତ୍ ସମ୍ପର୍କିତ କରୋନା ରୋଗୀ ଅଛନ୍ତି ସେମାନଙ୍କ ମଧ୍ୟରୁ ସର୍ବାଧିକ ଦିଲ୍ଲୀ ସରକାରଙ୍କ ଅଧୀନରେ ଚିକିସ୍ଥିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ବାହାରୁଥିବା ପଜିଟିଭ୍‌ଙ୍କ ସଂଖ୍ୟା ପୄଥକ ଭାବେ ନ କହିଲେ ଦିଲ୍ଲୀରେ ଆତଙ୍କ ଖେଳିଯିବ। ଗତକାଲି ସୁଦ୍ଧା ଦିଲ୍ଲୀର ପାଖାପାଖି ୧୦୦୦ରୁ ଅଧିକ ପଜିଟିଭ୍‌ଙ୍କ ମଧ୍ୟରୁ ସେମାନଙ୍କ ସଂଖ୍ୟା ପ୍ରାୟ ୭୦୦ ଥିଲା। ଏହା ଶୁଣିବା ପରେ ଯେ କେହି ଦିଲ୍ଲୀବାସୀ ଆଶ୍ବସ୍ତ ହେବ ଯେ କରୋନା ପୂରା ଦିଲ୍ଲୀରେ ଏତେ ଜୋରରେ ବ୍ୟାପିନାହିଁ ଓ ସର୍ବାଧିକ ଗୋଟିଏ ଜାଗାରୁ ବାହାରିଛି ଓ ସେମାନଙ୍କୁ ପରୀକ୍ଷା କରି ଚିକିତ୍ସା ଯୋଗାଇ ଦିଆଯାଉଛି। ଏଇଥିପାଇଁ ତବଲିଘି ଜମାତ୍‌ର କରୋନା ପୀଡ଼ିତଙ୍କ ସଂଖ୍ୟା ଅଲଗା କରିବା ଜରୁରୀ ଥିଲା।

ଏବେ ସଂଖ୍ୟାଲଘୁ କମିଶନଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଦିଲ୍ଲୀ ସରକାର ତବଲିଘି ଜମାତ୍ ନ କହି ସ୍ପେସିଆଲ୍ ଅପରେସନ୍ କହୁଛନ୍ତି। ଏପରି ଶବ୍ଦବଦଳ ଦ୍ବାରା କ’ଣ ଯେ ଲାଭ ମିଳିଲା ମୋ ବୁଝିବା ବାହାରେ। ଯିଏ “ସ୍ପେସିଆଲ୍ ଅପରେସନ”ର ମାନେ କ’ଣ ବୁଝିପାରିବ ନାହିଁ ସେ ତ ନିଶ୍ଚୟ ପଚାରିବ। ତାକୁ ଯେତେବେଳେ ପ୍ରକୄତ ଉତ୍ତରଟି ମିଳିଯିବ ସେ ଆଉ ଗୋଟିଏ ପ୍ରଶ୍ନ ପଚାରିବ ଯେ ତବଲିଘି ଜମାତ୍‌ ସମ୍ପର୍କିତଙ୍କ ନାଁ କାହିଁକି ଲୁଚାଯାଇ ତାକୁ ସ୍ପେସିଆଲ୍ ଅପରେସନ୍ କୁହାଯାଉଛି? ସେତେବେଳେ କ’ଣ ଉତ୍ତର ଦିଆଯିବ?

ମୁଁ ଏଇଟା ବି ବୁଝିପାରୁନି ଯେ ତବଲିଘି ଜମାତ ପ୍ରତି ଏତେ ରକ୍ଷଣାତ୍ମକ ମନୋଭାବ ରଖିବା କ’ଣ ଦରକାର? ସେମାନେ ମୁସଲମାନ ନିଶ୍ଚୟ। କିନ୍ତୁ ସବୁ ମୁସଲମାନ କ’ଣ ତବଲିଘି ବା ତବ୍‌ଲିଘି ସଂସ୍ଥା ସହ ଜଡ଼ିତ ଭାରତ ଓ ଭାରତ ବାହାରେ ସବୁ ଲୋକ (ଯେଉଁମାନେ ଗତ ମାସର ଦିଲ୍ଲୀ ମର୍କାଜ୍ ଯୋଗ ଦେଇନାହାନ୍ତ) କ’ଣ କରୋନା ସନ୍ଦିଗ୍ଧ? ପ୍ରକୄତରେ ଦେଖିବାକୁ ଗଲେ ମୁସଲମାନଙ୍କର ଆଉ ଏକ ବଡ ସଂସ୍ଥା ଦେଓବନ୍ଦ (ଏହା ବି ମୁସଲମାନଙ୍କ ପାଇଁ ସର୍ବମାନ୍ୟ ନୁହେଁ ) ଭାରତର ପ୍ରଥମ ଧାର୍ମିକ ଅନୁଷ୍ଠାନ ଯିଏ ନିଜ ଧର୍ମର ଅନୁଗାମୀମାନଙ୍କୁ ମସଜିଦ୍‌ରେ ବହୁ ସଂଖ୍ୟାରେ ଏକାଠି ହୋଇ ନମାଜ୍ ପଢିବାକୁ ବାରଣ କରିଛି। ମକ୍କା ମଦିନା ଓ ଅନ୍ୟାନ୍ୟ ସମସ୍ତ ମସଜିଦ୍ ଯେତେବେଳେ ବନ୍ଦ ହୋଇଥିଲା ସେତେବେଳେ ତବଲିଘି ଜମାତ୍‌ ସଦସ୍ୟମାନେ ତାଙ୍କର ମର୍କାଜ୍‌ କାର୍ଯ୍ୟକ୍ରମ ଜାରି ରଖିଥିଲେ। ଅର୍ଥାତ୍ ଭାରତର ସମସ୍ତ ମୁସଲିମଙ୍କର ସେମାନଙ୍କ ପ୍ରତି ସମର୍ଥନ ନ ଥିଲା। ଏପରିକି ତବ୍‌ଲିଘି କାର୍ଯ୍ୟକଳାପକୁ ଅନେକ ମୁସଲମାନ ବ୍ୟକ୍ତିତ୍ବ ମଧ୍ୟ ନିନ୍ଦା କରିଛନ୍ତି।

କେତେକ ଚାନେଲ ଓ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ସମର୍ଥକମାନେ ତବଲିଘି କାର୍ଯ୍ୟକଳାପକୁ ନେଇ ଦେଶର ସାରା ମୁସଲମାନ ସମାଜକୁ ବଦନାମ୍ କରୁଛନ୍ତି। ଏହାକୁ ମୁକାବିଲା କରିବାକୁ ହେଲେ କ’ଣ ତବଲିଘିଙ୍କୁ ମୁସଲମାନ କହି ସେମାନଙ୍କୁ ସମର୍ଥନ କରିବାକୁ ହେବ? ଏଇଆ ହିଁ ତ ଟିଭି ଚାନେଲ ଓ ଦକ୍ଷିଣପନ୍ଥୀ ଦଳ ସମର୍ଥକମାନେ ଚାହୁଁଛନ୍ତି। ଯେଉଁଠି ଦେଶର ମୁସଲମାନମାନେ ତବଲିଘି ଜମାତ୍‌ ସଦସ୍ୟମାନଙ୍କୁ ସମର୍ଥନ କରୁ ନାହାନ୍ତି ସେଠାରେ ଆଉ କିଏ କାହିଁକି ମୁସଲମାନ ହିତୈଷୀ ହୋଇ ସେମାନଙ୍କ ସଂଖ୍ୟା ଲୁଚାଇବାକୁ କହିବ?

ଆଶାରାମ ଓ ରାମ୍ ରହୀମଙ୍କ ପ୍ରତି କ’ଣ ହିନ୍ଦୁ କିମ୍ବା ଶିଖ୍ ମାନଙ୍କର ସମର୍ଥନ ଥିଲା?

ଆପ୍ କେବେ ବି ତବ୍‌ଲିଘି ଜମାତୀଙ୍କୁ ମୁସଲମାନ ଭାବେ ଦେଖିନାହିଁ। କେଜରିଓ୍ବାଲ୍ କେବେ ବି କହିନାହାନ୍ତି ଯେ ସମୁଦାୟ କରୋନା ରୋଗୀଙ୍କ ମଧ୍ୟରୁ ଏତିକି ସଂଖ୍ୟକ ମୁସଲମାନ ଅଛନ୍ତି। ତବଲିଘି ଜମାତ୍‌ ସଦସ୍ୟଙ୍କ ବ୍ୟତୀତ ଦିଲ୍ଲୀରେ ଆଉ ମୁସଲମାନ କରୋନା ପୀଡ଼ିତ ମଧ୍ୟ ଥିବେ। କେଜରିଓ୍ବାଲ ସାମ୍ବାଦିକଙ୍କୁ କରୋନା ସଂକ୍ରମିତଙ୍କ ତାଲିକା ଦେବାବେଳେ ସେମାନଙ୍କୁ ଯୋଡ଼ି କହୁ ନାହାନ୍ତି।

ଏ ଲେଖା ପଢ଼ୁଥିବା କୌଣସି ଵନ୍ଧୁଙ୍କୁ ହୁଏତ ମୋ ଯୁକ୍ତି ପସନ୍ଦ ଆସି ନ ପାରେ। କିନ୍ତୁ ଏତିକି ସ୍ପଷ୍ଟୀକରଣ ତ ଆମେ ଦେଇପାରିବୁ? ମୁଁ ପୂର୍ବରୁ ଯେଉଁ ଲେଖିଥିଲି “‘ହାୟ, ଆମ୍‌ ଆଦ୍‌ମି ପାର୍ଟି ମାଲିକାନାରେ ବି ଏମିତି ଗୋଟିଏ ଖବର ପୋର୍ଟାଲ୍ ଥାନ୍ତା କି”, ତାହା ମୋର ଏକ ମଜାଳିଆ ପ୍ରତିକ୍ରିୟା ମାତ୍ର। ପ୍ରକୄତ କଥା ହେଲା ଗୋଟିଏ ପୋର୍ଟାଲ୍ ପୋଷିବାକୁ ଆମ ପାର୍ଟି ପାଖରେ ଅର୍ଥ ନାହିଁ କି ଆକାଂକ୍ଷା ନାହିଁ। ଯଦି ସେମିତି ଗୋଟିଏ ପୋର୍ଟାଲ୍ ଆମ ହାତରେ ଥାଆନ୍ତା ତେବେ ସେଥିରେ କେଜରିଓ୍ବାଲ୍ ଓ ଆପ୍ ସରକାରଙ୍କର ଜୟ ଜୟକାର ହୁଅନ୍ତା। ମାତ୍ର ଆମେ ତାହା ଚାହୁଁନା। ଆମେ ଚାହୁଁନା ଯେ ଗୋଟିଏ ପୋର୍ଟାଲ୍ ଆମକୁ ଭିତରେ ସମର୍ଥନ କରି ବାହାରେ ନିଜକୁ ନିରପେକ୍ଷ କହୁ ଓ ତଦ୍ଦ୍ବାରା ପାଠକମାନଙ୍କୁ ଠକୁ। ପାର୍ଟିର ପତ୍ରିକା ‘ଆମକ୍ରାନ୍ତି’ ଯେତେବେଳେ ବାହାରୁ ଥିଲା ସେତେବେଳେ ପ୍ରଥମ ପୄଷ୍ଠାରେ ଲେଖା ଯାଉଥିଲା ଯେ ତାହା ଆମ୍ ଆଦ୍‌ମୀ ପାର୍ଟିର ପତ୍ରିକା। ଆମେ ପରିଚୟ ଲୁଚାଇ ପାଠକଙ୍କୁ କେବେ ଠକୁ ନଥିଲୁ, ଭବିଷ୍ୟତରେ ମଧ୍ୟ ଏଭଳି ହେବନାହିଁ।

ପାର୍ଟି ଯଦି ତବଲିଘି ଜମାତୀମାନଙ୍କ ପ୍ରତି ରକ୍ଷଣଶୀଳ ମନୋଭାବ ରଖି, ମୁସଲମାନ-ବିଦ୍ବେଷୀ ମୌଲବାଦୀ ଧର୍ମାନ୍ଧ ଦଳର ଚକ୍ରାନ୍ତ ଆଗରେ ମୁଣ୍ଡ ନୁଆଁଇ ସେମାନଙ୍କୁ ମୁସଲମାନ ବୋଲି ଭାବିଥାନ୍ତା ତେବେ ତାହା ସାଧାରଣ ମୁସଲମାନଙ୍କ ସପକ୍ଷରେ ଯାଇ ନଥାନ୍ତା। ଏଥିନେଇ ଯେଉଁମାନେ ଆପ୍‌ ସରକାରକୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ମୁସଲିମ୍ ଭୋଟ ମୁବାରକ୍। ଆପ୍ ମୁସଲମାନ ଭୋଟ ଚାହେଁନା କି ହିନ୍ଦୁ ଭୋଟ ଚାହେଁନା। ଆପ୍ ସ୍କୁଲ, ହସପିଟାଲ୍ ଓ ପିଇବା ପାଣି ପ୍ରସଙ୍ଗରେ ଭାରତୀୟଙ୍କ ଭୋଟ ଚାହେଁ।

ଆମେ ହୀନ ସମାଲୋଚନରେ ଅଭ୍ୟସ୍ତ ହୋଇଗଲାଣୁ। ଗୋଟିଏ ପକ୍ଷ ଆମକୁ ପାକିସ୍ଥାନୀପ୍ରେମୀ, ଅଫଜଲ୍‌ପ୍ରେମୀ ଓ ମୁସଲିମ୍‌ପ୍ରେମୀ କହି ଆସୁଛି। ଏବେ ଆଉ ଦଳେ ଆମକୁ ହିନ୍ଦୁପ୍ରେମୀ, ସଂଘୀ ଆଦି କହିବା ଆରମ୍ଭ କରିଛନ୍ତି। ଏଥିରେ କିଛି ଫରକ ପଡ଼ିବ ନାହିଁ। ଯେଉଁମାନଙ୍କ ସ୍ବାର୍ଥ ଉପରେ ଆଞ୍ଚ ଆସିବ ସେମାନେ ଆମକୁ ଅପର ଗୋଷ୍ଠୀର ସମର୍ଥକ ବୋଲି ଭାବିବେ। ପ୍ରତିଥର ଭୋଟରଙ୍କ ଆଙ୍ଗୁଠିରୁ କାଳି ଶୁଖି ନଥିବ, ଗୋଟିଏ ପ୍ରଚାର ଆରମ୍ଭ ହୋଇଯାଏ ଯେ ଦିଲ୍ଲୀବାସୀ ଆପ୍‌କୁ ଭୋଟଦେଇ ଏବେ ଅନୁତାପ କଲେଣି। ଏଥର ବି ସେହି ପ୍ରଚାର ଆରମ୍ଭ ହୋଇଗଲାଣି। କିନ୍ତୁ ଆପ୍ ଲଗାତର ଦୁଇଥର ଦିଲ୍ଲୀରୁ ୫୦%ରୁ ଅଧିକ ଭୋଟ ଓ ୯୦%ରୁ ଅଧିକ ଆସନ ଜିତିଛି। ସବୁଧର୍ମ, ସବୁ ଜାତି, ସବୁ ବର୍ଗର ଭୋଟ ନ ମିଳିଥିଲେ ଏମିତି ସର୍ବଭାରତୀୟ ରେକର୍ଡ ତିଆରି ହୋଇ ନଥାନ୍ତା।

ଯଦି ଆପ୍ ତବଲିଘି ଜମାତୀଙ୍କ ପ୍ରତି ରକ୍ଷଣଶୀଳ ମନୋଭାବ ପୋଷଣ କରି ସେମାନଙ୍କ ସଂଖ୍ୟା ଲୁଚାନ୍ତା, ତେବେ ୨୦୧୪ ନିର୍ବାଚନରେ ବୁଖାରୀଙ୍କ ସମର୍ଥନକୁ ପ୍ରତ୍ୟାଖ୍ୟାନ କାହିଁକି କରିଥିଲା? ଆମକୁ ଯଦି ଗୋଠ ପ୍ରଚାର ସଙ୍ଗେ ଯିବାର ଥିଲା ଆମେ ଆଉ ଗୋଟିଏ ପାର୍ଟି କାହିଁକି ତିଆରି କରିଥାନ୍ତୁ?

ଏହି ଲେଖାର ଲେଖକ ରଙ୍ଗାଚରଣ ପ୍ରଧାନ ଆମ୍‌ ଆଦ୍‌ମି ପାର୍ଟି ଓଡ଼ିଶା ପ୍ରଦେଶର ମୁଖପାତ୍ର। ମତାମତ ତାଙ୍କର ବ୍ୟକ୍ତିଗତ।

Comments are closed.