Odisha Link
Bridging the Missing Links in Odisha

ବାପା କହୁଛି ଗାଆଁରୁ…

ବାପା କହୁଛି ଗାଆଁରୁ…
ଡ. କୁଳାଙ୍ଗାର

(୧)
ରାସ୍ତାରେ ଆଉ ଶହଶହ ଗାଡ଼ି
ହେଉନାଇଁ ଫଡ଼ଫଡ଼;
ଅନେକ ମୁହଁରେ ତୁଣ୍ଡି ବନ୍ଧା ଏବେ
ନ ହୁଅନ୍ତି ଭଡ଼ଭଡ଼!
କରୋନାର ଗଡ଼ବଡ଼,
ଶବ୍ଦ ପ୍ରଦୂଷଣ କମିଛି, ଶୁଭୁଛି-
ପକ୍ଷୀଙ୍କ କାକଳୀ, ପିମ୍ପୁଡ଼ିଙ୍କ ଖଡ଼ଖଡ଼!!

(୨)
ଟିଭିରେ ଭେଷଡ଼ ନାଚ ଦେଖେଇକି
ନଷ୍ଟ କରୁଥିଲେ ଅନେକ;
ମେଗା ସିରିୟେଲ ବତାଇ ଶିଖାଇ
କରୁଥିଲା କଳି ଯେତକ!
ଏବେ, ପୈାରାଣିକ ଧାରାବାହିକ,
ଭିଲିଆନଙ୍କର ଚାହିଦା କମିଛି
ଡିମାଣ୍ଡରେ ପ୍ରଭୁ ନାୟକ!!

(୩)
ମୂଲଲାଗି ଚଳୁ ନିଇତି ଖଟିଲେ
ଆମେ ଦିହେଁ ଦାଦି ପୁତୁରା;
ନିଇତି ସଞ୍ଜରେ ମଦପିଇ କରି
ଶେ‍ାଧୁଥିଲୁ ସାଜି ବାତେରା!
କିଛଦିନ ଗଲା ମାଲ୍ ଚୋରା,
ଏବେ ଆମେ ଦିହେଁ ଖାଣ୍ଟି ଭଦ୍ରଲୋକ
କଥା ମଥା ସଫା ସୁତରା!!

(୪)
ଝିଅଟା ଏଇ କିଛିଦିନ ହେଲା
ହେଉଥିଲା ଭାରି ଉଦଣ୍ଡୀ;
ସାଇକେଲ ବୁଲା ନ’ଛାଡିବାରୁ
ଫଟେଇଥିଲି ତା ନାକଦଣ୍ଡି!
ସାଇକେଲ ଛାଡ଼ି ରଣଚଣ୍ଡୀ,
ଏକଲା ଏବେ ବେଳ କଟଉଛି
ଘର ଛାତପରୁ ଉଣ୍ଡି ଉଣ୍ଡି!!

(୫)
ଇଏ ଦେଉଛି ଚାଉଳ, ଡାଲି
ସିଏ କହୁଛି ଟଙ୍କା ନିଅ;
ବହୁଦିନ ପରେ ବହୁଦିନ ଧରି
ପାଖରେ ଆସିକି ଅଛି!
ୟାକୁ କିଏ କହେ ମହାମାରୀ,
ମୋ ପରି ଗାଉଁଲି ଗରିବ ପାଇଁକି
ୟେ ଅଟେ ଅତି ଦରକାରୀ!

Comments are closed.