Odisha Link
Bridging the Missing Links in Odisha

କୃଷକଙ୍କ ପାଇଁ ଲକ୍‌ଡାଉନ୍‌ କୋହଳ କଲେ ସରକାର: କୃଷିମନ୍ତ୍ରୀ

ଭୁବନେଶ୍ବର: ଏବେ ରବି ଫସଲ ଅମଳ ସମୟ। ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ କୃଷିଜାଦ ଦ୍ରବ୍ୟ ଚାଷୀମାନେ ଉତ୍ପାଦନ କରୁଛନ୍ତି। ସୁରୁଖୁରୁରେ ସେମାନେ କିଭଳି ସେ ସବୁ ଜମିରୁ ଆଣିପାରିବେ ଏବଂ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ସେଥିପ୍ରତି ଗୁରୁତ୍ବ ଦେଇ ସରକାର ଲକ୍‌ଡାଉନ୍‌ କଟକଣାକୁ କୋହଳ କରିଥିବା କହିଛନ୍ତି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ।

ଏପ୍ରିଲ ୩୦ ତାରିଖ ଯାଏଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବଢ଼ାଇଥିବା ବେଳେ ଏପ୍ରିଲ ୧୫ ତାରିଖ ଠାରୁ କଟକଣାରେ କିଛି ପରିବର୍ତ୍ତନ କରାଯାଇଛି। କୃଷକ ଓ ଶ୍ରମିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖିବା ସହ ଲୋକଙ୍କର ଚାହିଦା ପୂରଣକୁ ଗୁରୁତ୍ବ ଦେଇ ସରକାର ଏ ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ତ୍ରୀ ଡ. ସାହୁ।

ଅକ୍ଷୟ ତୃତୀୟ ଠାରୁ ଖରିଫ୍‌ ଋତୁ ଆରମ୍ଭ ହେଉଥିବା ବେଳେ ରାଜ୍ୟରେ ଚାଷ ଅନୁକୂଳ ହେବ। ସେଥିପାଇଁ ସରକାର କୃଷି ଓ କୃଷକ ସମ୍ପର୍କିତ କଟକଣାକୁ ବାଦ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଏ ସମୟରେ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କୃଷକ ଭାଇମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୃଷିକୁ କୌଣସି ପ୍ରକାରେ ବନ୍ଦ କରି ହେବନାହିଁ। ଏହା ଆମ ଦେଶ ଅର୍ଥନୀତିର ମେରୁଦଣ୍ଡ ବୋଲି ସେ କହିଛନ୍ତି। କୃଷିକୁ ବାଦ ଦେଲେ ଆମ ଖାଦ୍ୟ ବ୍ୟବସ୍ଥାରେ ମଧ୍ୟ ଅସନ୍ତୁଳନ ଦେଖାଦେବ। ସେତିପାଇଁ ଲକ୍‌ଡାଉନ୍‌ ସମୟରେ କୃଷି କଟକଣା ବାଦ ଦିଆଯିବା ସହ କୃଷକମାନଙ୍କୁ ସରକାର ସବୁ ସହଯୋଗ ଓ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି।

Comments are closed.