Odisha Link
Bridging the Missing Links in Odisha

କାମରେ ଲାଗୁନି ଅତ୍ୟାଧୁନିକ କୋଭିଡ୍‌ ହସ୍ପିଟାଲ, ରୋଗୀ ଭୁବନେଶ୍ବରକୁ ସ୍ଥାନାନ୍ତର

କୋରାପୁଟ: ଜିଲ୍ଲାରେ ଅତ୍ୟାଧୁନିକ କୋଭିଡ୍‌ ହସ୍ପିଟାଲ ଅଛି। ୧୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୩ ଭେଣ୍ଟିଲେଟର ଓ ୨୦ ଆଇସିୟୁ ରହିଛି। ୧୫ ଦିନ ପୂର୍ବରୁ ଏହା କାର୍ଯ୍ୟକ୍ଷମ ହେଲାଣି ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ତଥାପି ଏହି ହସ୍ପିଟାଲ କାମରେ ଲାଗୁନି। କୋରାପୁଟର ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଗତକାଲି ଭୁବନେଶ୍ବର ପଠାଯାଇଛି।

ଏପ୍ରିଲ ୧୩ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ସହରରେ ଏହି ଅତ୍ୟାଧୁନିକ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟିତ ହୋଇଥିଲା। ରୋଗୀଙ୍କ ସେବାରେ ଯେଭଳି କୌଣସି ବ୍ୟତିକ୍ରମ ନ ଘଟେ ସେଥିପାଇଁ ହସ୍ପିଟାଲର କର୍ମଚାରୀଙ୍କ ପାଇଁ ପାଖରେ ରହିବା ବ୍ୟବସ୍ଥା କରାଯାଇଥିଲା। ଡାକ୍ତରଙ୍କ ରହଣି ପାଇଁ ଅପ୍‌ସରା ହୋଟେଲ ଓ ପ୍ରିନ୍ସେସ୍‌ ହୋଟେଲରେ ବ୍ୟବସ୍ଥା କରାଯାଇଛି ବୋଲି ସେତେବେଳେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଥିଲେ। ଅନ୍ୟ କର୍ମଚାରୀମାନଙ୍କ ପାଇଁ ବିକ୍ରମ ଦେବ କଲେଜର ନବନିର୍ମିତ ଛାତ୍ରୀନିବାସରେ ରହିବା ବ୍ୟବସ୍ଥା କରାଯାଇଛି।

କେବଳ ସେତିକି ନୁହେଁ, ହସ୍ପିଟାଲ ଉଦ୍‌ଘାଯନର ୧୦ ଦିନ ପରେ, ଅର୍ଥାତ ଏପ୍ରିଲ ୨୩ ତାରିଖରେ ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରାଶ ଚନ୍ଦ୍ର ମହାପାତ୍ର କୋରାପୁଟ ସମେତ ପଡ଼ୋଶୀ ଜିଲ୍ଲା ମାଲକାନଗିରି ଓ ନବରଙ୍ଗପୁରରେ ଥିବା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରି ସନ୍ତୋଷ ପ୍ରକଟ କରିବା ସହ ଏସବୁ କାର୍ଯ୍ୟକ୍ଷମ ବୋଲି ଘୋଷଣା କରିଥିଲେ।

ଏହା ଭିନ୍ନ କୋରାପୁଟ ଠାରୁ ୧୭୦ କିିଲୋମିଟର ଦୂର ଭବାନୀପାଟଣାରେ ଏକ ଅତ୍ୟାଧୁନିକ କୋଭିଡ୍‌ ହସ୍ପିଟାଲ ଥିବା ବେଳେ ୩୦୦ କିଲୋମିଟର ଦୂର ବ୍ରହ୍ମପୁରରରେ ଟାଟା ଷ୍ଟିଲ ପକ୍ଷରୁ ସ୍ବତନ୍ତ୍ର ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ରହିଛି। ଦକ୍ଷିଣ ଓଡ଼ିଶାରେ ଏତେ ହସ୍ପିଟାଲ ଥାଉ ଥାଉ ସୌଭାଗ୍ୟକୁ ଏଯାଏଁ ଜଣେ ବି ରୋଗୀ ଚିହ୍ନଟ ହୋଇ ନଥିଲେ। କଳାହାଣ୍ଡିରେ ୨ ଜଣ ରୋଗୀ ପୂର୍ବରୁ ବାହାରିଥିଲେ ହେଁ ଉଭୟେ ଏବେ ସୁସ୍ଥ। ଗତକାଲି ଦକ୍ଷିଣ ଓଡ଼ିଶାର ଏକମାତ୍ର ସକ୍ରିୟ କୋଭିଡ୍-୧୯ ରୋଗୀ କୋରାପୁଟରେ ବାହାରିଥିବା ବେଳେ ତାଙ୍କୁ ଭୁବନେଶ୍ବର ଘରୋଇ ହସ୍ପିଟାଲ କିମ୍ସ ସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଯିବ, ଏସବୁ ଜିଲ୍ଲାସ୍ତରୀୟ ହସ୍ପିଟାଲର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.