ପୁଣି ଏକ ଦୁର୍ଘଟଣା, କଳିଙ୍ଗା ଘାଟି ଦେଇ ଆଉ ଆସିବନି ସୁରତ ବସ୍

ଭୁବନେଶ୍ବର: ସୁରତରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଧରି ଆସୁଥିବା ଏକ ବସ୍ ଗତକାଲି ରାତିରେ କନ୍ଧମାଳର କଳିଙ୍ଗା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇ ୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳୁ ପୁଣି ଏକ ବସ୍ ଦୁର୍ଘଟଣାର ଶିାର ହୋଇଛି। ଏ ବସ୍ଟି ମଧ୍ୟ ସୁରତରୁ ଆସୁଥିଲା। ଅମ୍ବିକା ନାମକ ଏହି ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା କଂକ୍ରୀଟ୍ ବାଡ଼ରେ ମାଡ଼ ହୋଇଯାଇଛି। ଏଥିରେ କାହାର ମୃତ୍ୟୁ ହୋଇ ନ ଥିଲେ ହେଁ ଅନେକେ ଆହତ ହୋଇଛନ୍ତି।
ସୁରତର ବସ୍ ଚାଳକାମାନେ ଘାଟି ରାସ୍ତାରେ ଅଭ୍ୟସ୍ତ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏଣିକି ସୁରତ ବସ୍ ପାଇଁ ମାର୍ଗ ପରିବର୍ତ୍ତନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ବସ୍ ଗୁଡ଼ିକ ଗଞ୍ଜାମ ଆସୁଥିବା ବେଳେ ଆଉ କନ୍ଧମାଳ କଳିଙ୍ଗା ଘାଟି ଦେଇ ଆସିବ ନାହିଁ। ଏହା ପରିବର୍ତ୍ତେ ସୁରତରୁ ଆସୁଥିବା ସମସ୍ତ ବସ୍ ବୌଦ୍ଧ-ମାଧପୁର-ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ରାସ୍ତାରେ ଗଞ୍ଜାମରେ ପହଞ୍ଚିବ।