Odisha Link
Bridging the Missing Links in Odisha

୬୪ଟି ବିମାନରେ ବିଦେଶରୁ ଆସିବେ ୧୪ ହଜାରରୁ ଉର୍ଦ୍ଧ୍ବ ଭାରତୀୟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ବିମାନ ସେବା ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ଫଳରେ ବିଦେଶରେ ଫସି ରହିଛନ୍ତି ବହୁ ଭାରତୀୟ। ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ, କରୋନା ପାଇଁ ଳକ୍‌ଡାଉନ୍‌ କଟକଣା ଜାରି କରାଯାଇଛି। ସେଥିପାଇଁ ବିଦେଶରେ ବହୁ ଭାରତୀୟ ନାଗରିକ ଫସି ରହିଛନ୍ତି।

ଆସନ୍ତା ୭ତାରିଖରୁ ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ଆରମ୍ଭ କରିବେ କେନ୍ଦ୍ର ସରକାର।। ମେ ୭ ରୁ ମେ ୧୩ ପର୍ଯ୍ୟନ୍ତ, ବିଭିନ୍ନ ଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସପ୍ତାହରେ ୬୪ ବିମାନ ଚଳାଚଳ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି। ଏହା ଦ୍ବାରା ଭାରତ ବିଶ୍ବରେ ସୁବୁଠାରୁ ବଡ଼ ସ୍ଥାନାନ୍ତରଣ ପ୍ରକ୍ରିୟା କରିବ।

ଆହୁରି ସେ କହିଚନ୍ତି ଯେ, ଭାରତୀୟ ଛାତ୍ରଙ୍କ ସମେତ ପ୍ରାୟ ୧୪,୮୦୦ ଲୋକଙ୍କୁ ଭାରତ ଫେରାଇ ଅଣାଯିବ। ଏଥିପାଇଁ ପ୍ରତିଦିନ ପ୍ରାୟ ୨୦୦୦ ଲୋକଙ୍କୁ ଆଣିବାକୁ ଯୋଜନା ଅଛି। ଆସିବା ପୂର୍ବରୁ ଯାତ୍ରୀଙ୍କ ଡାକ୍ତରୀ ସ୍କ୍ରିନିଂ କରାଯିବ। ଯେଉଁ ଭାରତୀୟମାନଙ୍କର କାଶ, ଜ୍ୱର କିମ୍ବା ଥଣ୍ଡାର ଲକ୍ଷଣ ଥାଏ ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି।

ଯାତ୍ରା ସମୟରେ ଏହି ସମସ୍ତ ଯାତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ପ୍ରୋଟୋକଲକୁ ଅନୁସରଣ କରିବା ଜରୁରୀ। ଭାରତ ଆସିବା ପରେ ଏହି ଲୋକଙ୍କୁ ଡାକ୍ତରଖାନା କିମ୍ବା ଅନ୍ୟାନ୍ୟ ସ୍ଥାନରେ ୧୪ ଦିନ ପର୍ଯ୍ୟନ୍ତ କ୍ବାରଣ୍ଟାଇନିରେ ରଖାଯିବ।

୬୪ ଟି ବିମାନ ମଧ୍ୟରୁ ୟୁଏଇରୁ ୧୦ ଟି ବିମାନ, କାତାର – ୨, ସାଉଦି ଆରବ – ୫, ବ୍ରିଟେନ – ୭, ସିଙ୍ଗାପୁର – ୫, ଯୁକ୍ତରାଷ୍ଟ୍ର – ୭, ଫିଲିପାଇନ୍ସ – ୫, ବାଂଲାଦେଶ – ୭, ବହାରେନ – ୨, ମାଲେସିଆ -୭, କୁଏତ – ୫, ଏବଂ ଓମାନରୁ ୨ଟି ବିମାନ ଚଳାଚଳ କରିବ।

ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ ଏହି ଯାତ୍ରା ପାଇଁ ଲଣ୍ଡନ-ମୁମ୍ବାଇ ପାଇଁ ୫୦ ହଜାର ଟଙ୍କା, ସେହିପରି ଲଣ୍ଡନରୁ ଅହମ୍ମଦାବାଦ, ଲଣ୍ଡନରୁ ବାଙ୍ଗାଲୋର ଏବଂ ଲଣ୍ଡନରୁ ଦିଲ୍ଲୀ ପର୍ଯ୍ୟନ୍ତ ୫୦ ହଜାର ଟଙ୍କା ହେବ। ଚିକାଗୋ-ଦିଲ୍ଲୀ-ହାଇଦ୍ରାବାଦ ପାଇଁ ଯାତ୍ରା ହାର ପ୍ରାୟ ଏକ ଲକ୍ଷ ଟଙ୍କା ହେବ। ସମସ୍ତ ଲୋକଙ୍କୁ ବିମାନ ଭଡା ନିଜେ ଦେବାକୁ ପଡିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି।

Comments are closed.