Odisha Link
Bridging the Missing Links in Odisha

ଆଜିଠୁ ସ୍ବଦେଶ ଫେରିବେ ପ୍ରବାସୀ ଭାରତୀୟ, ଆରମ୍ଭ ହେଲା ‘ବନ୍ଦେ ଭାରତ ମିଶନ’

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ବିମାନ ସେବା ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ଫଳରେ ବିଦେଶରେ ଫସି ରହିଛନ୍ତି ବହୁ ଭାରତୀୟ। ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଆଜିଠାରୁ ଘରକୁ ସ୍ବଦେଶ ଫେରିବେ । ଏଥି ପାଇଁ ଆଜିଠାରୁ ଭାରତ ଆରମ୍ଭ କରୁଛି ବିଶ୍ଵର ସବୁଠୁ ବଡ଼ ସ୍ଥାନାନ୍ତରଣ ବା ଘର ବାହୁଡା ଅଭିଯାନ ‘ବନ୍ଦେ ଭାରତ ମିଶନ’।

କରୋନା ଭାଇରସ ପାଇଁ ବିଦେଶରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଦୁଇଟି ଅଭିଯାନ ଆରମ୍ଭ ହୋଇଛି । ‘ବନ୍ଦେ ଭାରତ ମିଶନ’ ରେ ବିମାନ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଅଣାଯାଉଥିବା ବେଳେ ‘ସେତୁ ସମୁଦ୍ର’ ମିଶନରେ ଜାହାଜ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଅଣାଯିବ ।

କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ରେ ଏୟାର ଇଣ୍ଡିଆ ୧୨ଟି ଦେଶରୁ ପାଖାପାଖି ୧୫ ହଜାର ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଭାରତ ଫେରାଇ ଆଣିବ। ଏଥିପାଇଁ ଆଜିଠୁ ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ୬୪ଟି ବିମାନ ଉଡାଣ କରିବ। ଆଜିଠାରୁ ଆରମ୍ଭ ହେଉଥିବା ଏହି ସର୍ବବୃହତ୍ତ ଅଭିଯାନର ମୁକାବିଲା ପାଇଁ ବିଦେଶ ମନ୍ତ୍ରାଳୟ ବୁଧବାର ଅନେକ ବୈଠକର ଆୟୋଜନ କରିଛି। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଆଜି ୨୦୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆବୁଧାବିରୁ ଭାରତ ଆସିବ।

ସେହିପରି କେନ୍ଦ୍ର ସରକାରଙ୍କ ‘ସେତୁ ସମୁଦ୍ର’ ମିଶନ ମାଧ୍ୟମରେ ମାଳଦୀପରେ ଫଶି ରହିଥିବା ୧ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଭାରତୀୟଙ୍କୁ ଜାହାଜ ମାଧ୍ୟମରେ ଭାରତ ଫେରାଇ ଅଣାଯିବ ବୋଲି ଜଣାପଡିଛି । ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ ବନ୍ଦର ଓ ବନ୍ଦରରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।

ଯାତ୍ରା ସମୟରେ ଏହି ସମସ୍ତ ଯାତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ପ୍ରୋଟୋକଲକୁ ଅନୁସରଣ କରିବା ଜରୁରୀ। ଭାରତ ଆସିବା ପରେ ଏହି ଲୋକଙ୍କୁ ଡାକ୍ତରଖାନା କିମ୍ବା ଅନ୍ୟାନ୍ୟ ସ୍ଥାନରେ ୧୪ ଦିନ ପର୍ଯ୍ୟନ୍ତ କ୍ବାରଣ୍ଟାଇନିରେ ରଖାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

୬୪ ଟି ବିମାନ ମଧ୍ୟରୁ ୟୁଏଇରୁ ୧୦ ଟି ବିମାନ, କାତାର – ୨, ସାଉଦି ଆରବ – ୫, ବ୍ରିଟେନ – ୭, ସିଙ୍ଗାପୁର – ୫, ଯୁକ୍ତରାଷ୍ଟ୍ର – ୭, ଫିଲିପାଇନ୍ସ – ୫, ବାଂଲାଦେଶ – ୭, ବହାରେନ – ୨, ମାଲେସିଆ -୭, କୁଏତ – ୫, ଏବଂ ଓମାନରୁ ୨ଟି ବିମାନ ଚଳାଚଳ କରିବ।

Comments are closed.