କରୋନା: ୧୦୦ ଟପିଲା ସୁରତ ଫେରନ୍ତା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଜି ସକାଳୁ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ସୁରତ ଫେରନ୍ତା ଆଉ ଜଣେ ଅବରୋଧ ଅଞ୍ଚଳର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ୧୨, ମୟୂରଭଞ୍ଜରୁ ୩, ଭଦ୍ରକ ତିହିଡିରେ ୧ ଓ ସୁନ୍ଦରଗଡ ରାଉରକେଲାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଏଥିସହିତ ରାଜ୍ୟରେ ସୁରତ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଗତକାଲି ସୁଦ୍ଧା ରାଜ୍ୟରେ ୮୮ ଜଣ ସୁରତ ଫେରନ୍ତା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଆଉ ୧୬ ଜଣଙ୍କର ସୁରତ ଲିଙ୍କ ସୂଚନା ମିଳିବା ପରେ ରାଜ୍ୟରେ ଏହି ସଂଖ୍ୟା ୧୦୦କୁ ଟପିଛି। ସୁରତ ଫେରନ୍ତାଙ୍କ ସଂଖ୍ୟା ୧୦୪ରେ ପହଁଞ୍ଚିଛି।
ଅପରପକ୍ଷେ ରାଜ୍ୟରେ ୩ ଦିନରେ ୧୦୦ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମେ ୭ରେ-୩୪, ମେ ୮ରେ-୫୧ , ଏବଂ ଆଜି ମେ ୯ ସକାଳ ସୁଦ୍ଧା ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋିଛନ୍ତି। ଏବେ ସୁଦ୍ଧା ୩ ଦିନରେ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଁଞ୍ଚିଛି। ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷେ ୨୨୨ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।