ଭାରତରେ କରୋନା: ୭୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍ ଅବଧି ଶେଷ ହେବାକୁ ଆସୁଛି। ଅନ୍ୟପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୭୦ ହଜାର ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୩୬୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୮୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୭୫୬ରେ ପହଁଞ୍ଚିଛି। ସେମଧ୍ୟରୁ ୨୨୯୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୪୬,୦୦୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଏପର୍ଯ୍ୟନ୍ତ ୨୨,୪୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଗତ କିଛି ଦିନ ହେବ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହା ଦେଶ ପାଇଁ ଚିନ୍ତାର କାରଣ।