Odisha Link
Bridging the Missing Links in Odisha

ରାଜ୍ୟରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ ଗୁଜରାଟ ଫେରନ୍ତା

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣ ବ୍ୟକ୍ତିଙ୍କ ଠାରେ କରୋନା‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୩୮ ଜଣ ହେଉଛନ୍ତି ଗୁଜରାଟ ଫେରନ୍ତା। ଆଜି ସୁଦ୍ଧା ରାଜ୍ୟରେ ମୋଟ ୪୩୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୨୨୩ ଜଣ ଗୁଜରାଟ ଫେରନ୍ତା ଅଛନ୍ତି। ଗଂଜାମରେ ସର୍ବାଧିକ ୧୫୬ ଜଣ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ହୋଇଥିବା ବେଳେ ବାଲେଶ୍ବରରେ ୧୪, ଅନୁଗଳରେ ୧୩, ଭଦ୍ରକରେ ୧୦ ଓ ମୟୂରଭଞ୍ଜରେ ଏଯାଏଁ ୯ ଜଣ ଠାବ ହୋଇଛନ୍ତି।

ଗଞ୍ଜାମରେ ସର୍ବାଧିକ ଗୁଜରାଟ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି। ମେ’ ୩ ତାରିଖରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୨ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଥିବା ବେଳେ ସେହି ଜିଲ୍ଲାରୁ ମେ’ ୫ ଓ ୬ ତାରିଖରେ ଆଉ ୨ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ମେ’ ୭ ତାରିଖରେ ଗଞ୍ଜାମରୁ ଆଉ ୨୪ ଜଣ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ହୋଇଥିବା ବେଳେ ମେ’ ୮ରେ ଜିଲ୍ଲାରେ ୪୧ ଜଣ ଓ ମେ’ ୯ରେ ୧୮ ଜଣ ଆକ୍ରାନ୍ତ ହୋଇଥିଲେ। ମେ’ ୧୦ରେ ଗଞ୍ଜାମ ଜିଲ୍ଲାରେ ଆଉ ୩୬ ଜଣ ଗୁଜରାଟ ଫେରନ୍ତା ଆକ୍ରାନ୍ତ ଠାବ ହୋଇଥିଲେ। ମେ’ ୧୧ରେ ୧୨ ଜଣ ହୋଇଥିବା ବେଳେ ଆଜି (ମେ’ ୧୨ରେ) ଆଉ ୨୧ ଜଣ ଗୁଜରାଟ ଫେରନ୍ତା ଗଞ୍ଜାମ ଜିଲ୍ଲାରେ ମିଳିଛନ୍ତି।

ଆଜି ପୁରୀରେ ପ୍ରଥମ ଥର ପାଇଁ ଜଣେ ଗୁଜରାଟ ଫେରନ୍ତାଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ସେହିପରି ଆଜି ପୂର୍ବରୁ ବାଲେଶ୍ବରେ ମାତ୍ର ଜଣେ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ଥିବା ବେଳେ ଆଜି ଏକାଥରକେ ଆଉ ୧୩ ଜଣ ଠାବ ହୋଇଛନ୍ତି। ଗଞ୍ଜାମ ସମେତ ରାଜ୍ୟର ୧୨ଟି ଜିଲ୍ଲାରେ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ମିଳିଛନ୍ତି।

୧୨ ମେ’ ୨୦୨୦ ସୁଦ୍ଧା ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ
ଗଞ୍ଜାମ ୧୫୬
ବାଲେଶ୍ବର ୧୪
ଅନୁଗୁଳ ୧୩
ଭଦ୍ରକ ୧୦
ମୟୁରଭଞ୍ଜ ୯
କେନ୍ଦ୍ରାପଡ଼ା ୬
ଜଗତସିଂହପୁର ୫
ବୌଦ୍ଧ ୪
ଯାଜପୁର ୨
କଟକ ୨
ନୟାଗଡ଼ ୧
ପୁରୀ ୧

Comments are closed.