Odisha Link
Bridging the Missing Links in Odisha

ପୂର୍ବ ଭାରତରେ ପ୍ରଥମ: ଇ-ଲର୍ଣ୍ଣିଂ ଉତ୍କର୍ଷତା ପାଇଁଁ ସୋଆକୁ ଇ-ଲିଡ୍‌ ସାର୍ଟିଫିକେଟ୍

ଭୁବନେଶ୍ୱର: କରୋନା ମହାମାରୀର ଘୋର ପ୍ରଭାବ ଶିକ୍ଷା କ୍ଷେତ୍ରରେ ପଡ଼ିଥିବା ବେଳେ ଇ-ଲର୍ଣ୍ଣିଂ ଓ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇଗଜ ଦ୍ୱାରା ପ୍ରଦତ୍ତ ଇ-ଲର୍ଣ୍ଣିଂ ଏକ୍ସିଲେନ୍ସ ଫର ଏକାଡେମିକ ଡିଜିଟାଇଜେସନ (ଇ-ଲିଡ) ସାର୍ଟିଫିକେଟ୍ ହାସଲ କରିଛି।

ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ହୁଏତ କେବେ ମଧ୍ୟ ଚିନ୍ତା କରିନଥିଲେ ଯେ ଏଭଳି ଏକ ପରିସ୍ଥିତି ଉପୁଜିବ ଯେତେବେଳେ ସେମାନଙ୍କୁ ଅନଲାଇନ ପାଠ୍ୟକ୍ରମ ଭଳି ବୈଷୟିକ ପଦ୍ଧତି ଆପଣେଇବାକୁ ପଡ଼ିବ। ଏଭଳି ଏକ ସମୟରେ ଅନଲାଇନ ପାଠ୍ୟକ୍ରମ ପାଇଁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଗ୍ଲୋବାଲ୍ ର‌୍ୟାଙ୍କିଂ ଓ ରେଟିଂ ଏଜେନ୍ସି କ୍ୟୁଏସର ଭାରତୀୟ ଶାଖା କ୍ୟୁଏସ ଆଇଗଜ ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନଲାଇନ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମକୁ ନେଇ ଏକ ଅଡିଟ୍ କରିଥିଲେ ଓ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନମାନଙ୍କୁ ମାନ୍ୟତା ପ୍ରଦାନ କରିଛନ୍ତି।

ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ୍ ପୋଖରିଆଲ୍ “ନିଶାଙ୍କ’ ଏହି ଇ-ଲିଡ ସାର୍ଟିଫିକେଟ୍‌ର ପ୍ରଦାନ କରିଛନ୍ତି। ଅନଲାଇନ ପାଠ୍ୟକ୍ରମର ଉତ୍କର୍ଷତା ନେଇ ମନୋନୀତ ହୋଇଥିବା ୧୨ଟି ଭାରତୀୟ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସାମିଲ୍ ଥିବା ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାରୁ ସୋଆ ସ୍ଥାନ ପାଇଛି।

ମାର୍ଚ୍ଚ ମାସରେ କୋଭିଡ-୧୯ ମହାମାରୀର ଭୟାଭୟତା ସାମ୍ନାକୁ ଆସିବା ପରେ ଏବଂ ସାରାଦେଶରେ ଲକ୍‌ଡାଉନ ଘୋଷଣା ହେବା ପରେ ପରେ ତୁରନ୍ତ ସୋଆ ପକ୍ଷରୁ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ବିଭିନ୍ନ ଅଭିନବ ପ୍ରକ୍ରିୟା ଓ ବୈଷୟିକ କ୍ଷେତ୍ରକୁ ଆପଣାଇ ଅନଲାଇନ କ୍ଲାସଗୁଡ଼ିକୁ ପରିଚାଳନା କରାଯାଇଥିଲା।

ଏହି ମାନ୍ୟତା ପାଇବା ପରେ କ୍ୟୁଏସକୁ ଧନ୍ୟବାଦ ଜଣାଇଛନ୍ତି ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର। ସେ କହିଛନ୍ତି ଯେ ଲକ୍‌ଡାଉନ ଘୋଷଣା ହେବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତୁରନ୍ତ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ଯଦି ଆବଶ୍ୟକତା ପଡ଼େ ତେବେ ସୋଆର ଫାକଲ୍ଟିମାନେ ଅନଲାଇନ ପରୀକ୍ଷା ମଧ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସାଧାରଣ ସମ୍ପାଦକ ପ୍ରଫେସର ପଙ୍କଜ ମିତଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ କ୍ୟୁଏସ ଦକ୍ଷିଣ ଏସିଆର ଆଂଚଳିକ ନିର୍ଦ୍ଦେଶକ ଡ. ଅଶ୍ୱିନ ଫର୍ଣ୍ଣାଣ୍ଡିସ, କ୍ୟୁଏସ ଆଇଗଜ ଇ-ଲିଡ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ବିଶେଷଜ୍ଞ ମାନଙ୍କ ଦ୍ୱାରା ଏହି ସାର୍ଟିଫିକେଟ କାର୍ଯ୍ୟକ୍ରମର ପ୍ରକ୍ରିୟା, ଡାଟା ସଂଗ୍ରହ, ଅଡିଟ ପ୍ରକ୍ରିୟା, ଗୁଣବତାର ଯାଂଚ କରାଯାଇ ୧୨ଟି ଶିକ୍ଷାନୁଷ୍ଠାନଗୁଡିକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା ବୋଲି ସେ କହିଥିଲେ।

Comments are closed.