Odisha Link
Bridging the Missing Links in Odisha

ଦେଶର ମେରୁଦଣ୍ଡକୁ ମଜବୁତ୍ କରିବା ପାଇଁ ଐତିହାସିକ ପଦକ୍ଷେପ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ଯୋଜନାର ତୃତୀୟ ଦିନରେ କୃଷି ଓ ଏସମ୍ପର୍କୀତ କ୍ଷେତ୍ର ପାଇଁ ଯେଉଁ ସବୁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ତାହା ଦେଶର ମେରୁଦଣ୍ଡ କୃଷି କ୍ଷେତ୍ରକୁ ମଜବୁତ୍ କରିବା ଦିଗରେ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର କୃଷି ଉତ୍ପାଦକୁ ବଢାଇବା ଲକ୍ଷ୍ୟରେ କୃଷି ଭିତିଭୂମିକୁ ସଦୃଢ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ କୃଷି ଭିତିଭୂମି ପାଣ୍ଠି ଘୋଷଣା କରିଛନ୍ତି। ଏତଦଦ୍ୱାରା କୃଷକ ମାନଙ୍କୁ ଗୋଦାମ, ଶୀତଳ ଭଣ୍ଡାରର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଯଦ୍ୱାରା ଦେଶର ଲକ୍ଷ ଲକ୍ଷ ଅନ୍ନଦାତା ଲାଭ ପାଇବେ ଏବଂ କୃଷି ଭିତିଭୂମି ସୁଦୃଢ ହେବ।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆରମ୍ଭ କରାଯିବ ଏବଂ ଏହି ଯୋଜନାର ୨୦ ହଜାର କୋଟି ଟଙ୍କା ଘୋଷଣା ହୋଇଛି। ଏହି ପଦକ୍ଷେପ କରୋନା ମହାମାରୀ ସମୟରେ ଦେଶର ୫୫ ଲକ୍ଷ ମତ୍ସ୍ୟ ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ ଏବଂ ସେମାନଙ୍କ ଜୀବନଜୀବିକାକୁ ମଧ୍ୟ ଗତି ଦେବ। ଅପରପକ୍ଷରେ ୧୫ ହଜାର କୋଟିର ପଶୁପାଳନ ଭିତିଭୂମି ବିକାଶ ପାଣ୍ଠି ଦୁଗ୍ଧ ଶିଳ୍ପକୁ ପ୍ରୋତ୍ସାହନ ଦେବ। ଦୁଗ୍ଧ ପ୍ଲାଂଟରେ କ୍ଷୀର ଉତ୍ପାଦନ ବଢିବା ସହ ନିଯୁକ୍ତି ସୃଷ୍ଟି ହେବ ଏବଂ ସ୍ଥାନୀୟ ଅର୍ଥନୀତି ସୁଦୃଢ ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଲଘୁ ଖାଦ୍ୟ ଉଦ୍ୟୋଗ ଗୁଡିକୁ ସଂଗଠିତ କରିବା ପାଇଁ ୧୦ ହଜାର କୋଟି ଘୋଷଣା କରାଯାଇଛି। ଏହା ଦେଶର ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର କରିବ ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଲୋକାଲ୍ ପାଇଁ ଭୋକାଲ୍‌କୁ ବଡ ଗତି ଦେବ। ଏହା ଲଘୁ ଖାଦ୍ୟ ଉଦ୍ୟୋଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଲାଭ ଦେବା ଓ ଚାଷୀଙ୍କ ଆୟ ମଧ୍ୟ ବଢିବ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦୁଗ୍ଧ ସମବାୟ ସମିତିକୁ ବାର୍ଷିକ ୨ ପ୍ରତିଶତ କମ ସୁଧରେ ମିଳିବ । ତୁରନ୍ତ ଦେୟ ପାଇଁ ଅତିରିକ୍ତ ୨ ପ୍ରତିଶତ କମ ମିଳିବ। ଲକ୍ ଡାଉନ ସମୟରେ ଏହା ଘୋଷଣା କରାଯାଇଥିଲା ଏବଂ ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଏବଂ ପ୍ରାୟ ୨ କୋଟି ଦୁଗ୍ଧ ଚାଷୀ ଏହି ନିଷ୍ପତି ଦ୍ୱାରା ଉପକୃତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଅପରପକ୍ଷରେ ମହୁ ଚାଷର ଭିତିଭୂମିକୁ ମଜବୁତ କରିବା ପାଇଁ ୫୦୦ କୋଟି ଟଙ୍କା ଘୋଷଣା କରାଯାଇଛି। ଏହା ୨ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରିବ ଓ ସ୍ଥାନୀୟ ମହୁ ସଂଗ୍ରହକାରୀ ମହିଳା ଚାଷୀଙ୍କୁ ମଧ୍ୟ ଆର୍ଥିକ ସବଳ କରିବ। ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ସଂଶୋଧନ ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ଘୋଷଣା ଚାଷୀଙ୍କ ଉତ୍ପାଦକୁ ବଢାଇବ ଏବଂ ସେମାନଙ୍କୁ ଉଚିତ୍ ପ୍ରାପ୍ୟ ମିଳିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଜିର ଘୋଷଣା କୃଷି, ପଶୁ ପାଳନ, ଦୁଗ୍ଧ ଚାଷ, ମତ୍ସ୍ୟଚାଷୀଙ୍କୁ ବହୁତ ବଡ ସହାୟତା ପ୍ରଦାନ କରିବ ଏବଂ ଦେଶର ଅର୍ଥନୀତିରେ ମଧ୍ୟ ପ୍ରଗତି କରେଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Comments are closed.