ନିର୍ମଳାଙ୍କ ଋଣ ପେଡ଼ି: କୋଇଲା କ୍ଷେତ୍ର ପାଇଁ ୫୦ ହଜାର କୋଟି

ନୂଆଦିଲ୍ଲୀ: ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୪ର୍ଥ ପର୍ଯ୍ୟାୟ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି କ୍ରମରେ ସେ କହିଛନ୍ତି ଯେ, ଆଗକୁ ଆସୁଥିବା ପ୍ରତିଯୋଗିତା ପାଇଁ ଆମେ ପ୍ରସ୍ତୁତ ରହିବା। ଘୋଷଣା ହୋଇଥିବା ଆତ୍ମନିର୍ଭର ଆର୍ଥିକ ପ୍ୟାକେଜ ଆଖି ଦେଖାଣିଆ ନୁହେଁ, ଭାରତକୁ ସଶକ୍ତ ଏବଂ ଆତ୍ମନିର୍ଭର କରିବାର ପ୍ୟାକେଜ୍। ପ୍ରଧାନମନ୍ତ୍ରୀ ମୋଦିଙ୍କ ମୂଳ ଉଦ୍ଦେଶ୍ୟ ଦେଶକୁ ଆତ୍ମ ନିର୍ଭର କରାଇବା। ସଙ୍କଟ ସମୟରେ ସ୍ୱାବଲମ୍ବୀ ହୋଇ ଆଗକୁ ବଢ଼ିବା ବୋଲି ସେ କହିଛନ୍ତି।
ଆଜିର ଘୋଷଣାରେ ୮ଟି କ୍ଷେତ୍ରରେ ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳାଙ୍କ ଗୁରୁତ୍ବ। କୋଇଲା, ଖଣିଜ ଦ୍ରବ୍ୟ, ପ୍ରତିରକ୍ଷା ଉତ୍ପାଦନ, ବିମାନବନ୍ଦର, ଶକ୍ତି ବଣ୍ଟନ, ମହାକାଶ ଗବେଷଣା, ଆଣବିକ ଶକ୍ତି କ୍ଷେତ୍ର ପରିଚାଳନା, ମରାମତି ଓ ସାମଗ୍ରିକ ପରିଚାଳନା କ୍ଷେତ୍ରକୁ ବି ଗୁରୁତ୍ବ ଦେଇଛନ୍ତି ଅର୍ଥମନ୍ତ୍ରୀ।
କୋଇଲା କ୍ଷେତ୍ର ପାଇଁ ୫୦ ହଜାର କୋଟି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କୋଇଲା କ୍ଷେତ୍ରରେ କମରସିଆଲ୍ ମାଇନିଂକୁ ଗୁରୁତ୍ବ। କୋଇଲା କ୍ଷେତ୍ରରେ ସରକାରଙ୍କ ଏକାଧିକରଣ ବନ୍ଦ ହେବ। ଉଚିତ୍ ମୂଲ୍ୟରେ ଅଧିକ କୋଇଲା ମିଳିବ ବୋଲି ନିର୍ମଳା କହିଛନ୍ତି। ଟନ୍ ପିଛା ଦର ପରିବର୍ତ୍ତେ ଲାଗୁ ହେବ ଲାଭ ବଣ୍ଟନ ଯୋଜନା। ଘରୋଇ କ୍ଷେତ୍ରର ଅଂଶଗ୍ରହଣ ପାଇଁ କୋହଳ ହେବ ନିୟମ, ଯେକୌଣସି ସଂସ୍ଥା କୋଇଲା ଉତ୍ତୋଳନ କରି ବିକ୍ରି କରିପାରିବେ, ଖୁବ୍ଶୀଘ୍ର ୫୦ଟି କୋଲ୍ବ୍ଲକ ପାଇଁ କୋହଳ ହେବ ନିୟମ ବୋଲି ଅର୍ଥମନ୍ତ୍ରୀଙ୍କ ଘୋଷଣା।
ଏଥିସହିତ ସେ ଆହୁରି କହିଛନ୍ତି ଯେ, ଆତ୍ମନିର୍ଭର ମାନେ ଏହା ନୁହେଁ ଯେ ଆମେ ଦୁନିଆରୁ ଅଲଗା ହୋଇଯିବା। ଡ଼ିବିଟି,ଜିଏସଟି ଦେଶ ପାଇଁ ଉପଯୋଗୀ। ବିଭିନ୍ନ ସେକ୍ଟର ଏବେ ଆହ୍ବାନକୁ ସାମ୍ନା କରୁଛି। ନିବେଶ ପାଇଁ ଭାରତ ପ୍ରଥମ ପସନ୍ଦ,ଭିତ୍ତିଭୂମିରେ ସୁଧାର ଆଣିବା ଆମର ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ବିଭିନ୍ନ ସେକ୍ଟର ଏବେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଆମର ମୂଳ ଲକ୍ଷ୍ୟ ଏହାର ଢ଼ାଞ୍ଚାର ବିକାଶ କରି ଏବଂ ମୂଳଦୂଆକୁ ସଦୃଢ଼ କରିବା। ଆତ୍ମନିର୍ଭର ଭାରତ ପାଇଁ ହିଁ ମେକ୍ ଇନ୍ ଇଣ୍ଡିଆ। ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ଉପରେ ସରକାରଙ୍କ ଗୁରୁତ୍ୱ। ଭାରତରେ ନିବେଶ କରିବା ବିଶ୍ୱର ପ୍ରମୁଖ ଦେଶମାନଙ୍କର ପ୍ରଥମ ପସନ୍ଦ।